ବି.ଏଡ୍ କଲେଜରେ ସହକାରୀ ପ୍ରଫେସର ନିଯୁକ୍ତି ବିବାଦ: ଓପିଏସ୍ସିକୁ ହାଇକୋର୍ଟର ନୋଟିସ୍
କଟକ: ଓଡ଼ିଶାର ବିଭିନ୍ନ ସରକାରୀ ଶିକ୍ଷକ ତାଲିମ ପ୍ରତିଷ୍ଠାନ ତଥା ବି.ଏଡ୍ କଲେଜଗୁଡ଼ିକରେ ସହକାରୀ ପ୍ରଫେସର ପଦବିରେ ନିଯୁକ୍ତି ନେଇ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥିବା ୨୪ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି, ଯାହା ନ୍ୟାସନାଲ୍ କାଉନସିଲ୍ ଫର୍ ଟିଚର୍ ଏଜୁକେସନ୍ (ଏନ୍ସିଟିଇ) ନିୟମାବଳୀକୁ ଉଲ୍ଲଂଘନ କରୁଛି। ଏହି ମାମଲାରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି)କୁ ଓଡ଼ିଶା ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି।
ଗୁରୁବାର ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଓ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଆବେଦନକାରୀ ରଜତ କୁମାର ମିଶ୍ରଙ୍କ ପକ୍ଷରୁ ଆଇନଜୀବୀ ସୌରଭ ଦାସ ମାମଲା ପରିଚାଳନା କରୁଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ହେବ।
ଏନ୍ସିଟିଇ ନିୟମାବଳୀ ଅନୁସାରେ ଶିକ୍ଷକ ତାଲିମ ପ୍ରତିଷ୍ଠାନ ତଥା ବିଭିନ୍ନ ବିଏଡ୍ କଲେଜଗୁଡିକରେ ସହକାରୀ ପ୍ରଫେସର ପଦ ପାଇଁ ପ୍ରାର୍ଥୀଙ୍କ ଏମ୍ଏଡ୍ କିମ୍ବା ଦୁଇଟି ମାଷ୍ଟର୍ସ ଡିଗ୍ରି ରହିଥିବା ଆବଶ୍ୟକ। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ଶିକ୍ଷକ ତାଲିମ ପ୍ରତିଷ୍ଠାନ ତଥା ବିଏଡ୍ କଲେଜରେ ସହକାରୀ ପ୍ରଫେସର(ଶିକ୍ଷକ ଶିକ୍ଷା) ନିଯୁକ୍ତି ପାଇଁ ୨୦୨୧-୨୨ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ବିଜ୍ଞପ୍ତି ଅନୁସାରେ ମଧ୍ୟ ମାଷ୍ଟର୍ସ ଡିଗ୍ରି କିମ୍ବା ଦୁଇଟି ମାଷ୍ଟର୍ସ ଡିଗ୍ରିଧାରି ସହକାରୀ ପ୍ରଫେସର ପଦ ପାଇଁ ଆବେଦନ କରିପାରିବେ ଯଦି ଏନ୍ସିଟିଇ ନିୟମାବଳୀ ତାହା ଚାହୁଁଥାଏ ବୋଲି ଉଲ୍ଲେଖ ଥିଲା। କିନ୍ତୁ ୨୦୨୧-୨୨ରେ ଓପିଏସ୍ସି ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୨୪ ଜଣ ପ୍ରାର୍ଥୀଙ୍କୁ ଏହି ଯୋଗ୍ୟତା ମାନଦଣ୍ଡ ପୂରଣ ନକରି ମଧ୍ୟ ନିଯୁକ୍ତି ପାଇଁ ସୁପାରିସ କରାଯାଇଥିଲା ଏବଂ ପରେ ସେମାନେ ନିଯୁକ୍ତି ମଧ୍ୟ ପାଇଛନ୍ତି। ଆବେଦନକାରୀ ରଜତ କୁମାର ମିଶ୍ର ଏହି ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ ନକରିଥିଲେ ହେଁ, ସଂସ୍କାରକ ଭାବେ ଏହି ଅନିୟମିତତାକୁ ନେଇ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି।
ଏହି ମାମଲା ପୂର୍ବରୁ ୨୦୨୪ ମାର୍ଚ୍ଚ ୪ରେ ଜଣେ ବିଚାରପତିଙ୍କ ଖଣ୍ଡପୀଠ ଦ୍ୱାରା ଖାରଜ ହୋଇଥିଲା। ଏହି ରାୟକୁ ବିରୋଧ କରି ଶ୍ରୀ ମିଶ୍ର ଦୁଇଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଛନ୍ତି। ଗତ ଜୁଲାଇ ୨୩ରେ ହାଇକୋର୍ଟ ଏହି ନିଯୁକ୍ତି ପାଇଥିବା ୨୪ ଜଣ ପ୍ରାର୍ଥୀଙ୍କୁ (ପ୍ରତିପକ୍ଷ ନମ୍ବର ୩ରୁ ୨୬) ନୋଟିସ୍ ଜାରି କରିଥିଲେ। ଗୁରୁବାରର ଶୁଣାଣିରେ କେତେକ ପ୍ରତିପକ୍ଷ ଆଇନଜୀବୀଙ୍କ ମାଧ୍ୟମରେ ହାଜର ହୋଇଥିବା ବେଳେ ଅନ୍ୟମାନଙ୍କୁ ନୋଟିସ୍ ପ୍ରଦାନ ହୋଇଛି କି ନାହିଁ, ତାହା ସ୍ପଷ୍ଟ ହୋଇପାରି ନଥିଲା।
ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, ଓପିଏସ୍ସି ଏନ୍ସିଟିଇ ନିୟମାବଳୀକୁ ଉଲ୍ଲଂଘନ କରି ଏପରି ଯୋଗ୍ୟତାହୀନ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ସୁପାରିସ କରିଛି। ଏମ୍.ଏଡ୍ ଡିଗ୍ରି ଏହି ପଦବି ପାଇଁ ବାଧ୍ୟତାମୂଳକ ଥିବା ସତ୍ତ୍ୱେ, କେଉଁ ପରିସ୍ଥିତିରେ ଏହି ନିଯୁକ୍ତି ପ୍ରଦାନ କରାଗଲା, ତାହା ଉପରେ ପ୍ରଶ୍ନ ଉଠିଛି। ଓପିଏସ୍ସି ଆସନ୍ତା ଶୁଣାଣିରେ ଏହି ମାମଲାରେ ନିଜର ପକ୍ଷ ରଖିବ।
ଏହି ମାମଲା ରାଜ୍ୟର ଶିକ୍ଷକ ଶିକ୍ଷା ବ୍ୟବସ୍ଥାରେ ନିଯୁକ୍ତି ପ୍ରକ୍ରିୟାର ସ୍ୱଚ୍ଛତା ଓ ନିୟମାବଳୀ ପାଳନ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି। ହାଇକୋର୍ଟର ଚୂଡ଼ାନ୍ତ ରାୟ ଏହି ବିବାଦର ସମାଧାନ କରିବ ବୋଲି ଆଶା କରାଯାଉଛି।ଦେଇଛନ୍ତି।
