ବାଣୀବିହାର କ୍ୟାମ୍ପସରେ ସରକାରୀ କ୍ୱାର୍ଟର ଖାଲି କରିବାକୁ ନୋଟିସ
ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସ ହଷ୍ଟେଲରୁ ଅଣଛାତ୍ରଙ୍କୁ ଉଚ୍ଛେଦ କରାଯାଇଥିବା ପରେ ଏବେ ସରକାରୀ କ୍ୱାର୍ଟରକୁ ମଧ୍ୟ ଖାଲି କରିବାକୁ ବିଶ୍ୱବିଦ୍ୟାଳୟ ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ମାଡ଼ିବସିଥିବା ବ୍ୟକ୍ତିମାନଙ୍କୁ ଜାରି ହୋଇଯାଇଛି ନୋଟିସ। ଆଜି ସୁଦ୍ଧା କ୍ୱାର୍ଟର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି, ନହେଲେ ଆସନ୍ତା କାଲିରୁ ସେମାନଙ୍କର ବସବାସ ବେଆଇନ୍ ହୋଇଯିବ।ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଏହି ନୋଟିସ ଜାରି ହୋଇଥିବା ବେଳେ, କ୍ୱାର୍ଟର ଖାଲି ନକରିଲେ ପୋଲିସ ସହାୟତାରେ ବାହାର କରାଯିବାକୁ ସୂଚନା ଦିଆଯାଇଛି। ସୂତ୍ରରୁ ଜଣାପଡ଼ିଛି ଯେ, ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ପୋଲିସ ଫୋର୍ସ ମାଗିଛନ୍ତି ଏବଂ ଆଗାମୀ କିଛି ଦିନ ଭିତରେ ଏହା କାର୍ଯ୍ୟକାରୀ ହେବ।ଏହା ପୂର୍ବରୁ ହଷ୍ଟେଲରୁ ଅଣଛାତ୍ରଙ୍କୁ ଉଚ୍ଛେଦ କରାଯାଇଥିବା ପରେ ସରକାରୀ ସମ୍ପତ୍ତିରେ ଅନଧିକୃତ ବସବାସ ରୋକିବାକୁ ଏହା ଆହୁରି ଏକ ପଦକ୍ଷେପ। ପ୍ରଭାବିତ ବ୍ୟକ୍ତିମାନଙ୍କୁ ନୋଟିସରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଆଜି ସନ୍ଧ୍ୟା ସୁଦ୍ଧା କ୍ୱାର୍ଟର ଖାଲି ନକରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
