ତୀର୍ଥ ଯାତ୍ରା ନାମରେ ଉତ୍ତରପ୍ରଦେଶରେ ଓଡ଼ିଆ ଝିଅକୁ ବିକ୍ରି!

କାଳିଆପାଣି : ଯାଜପୁର ଜିଲ୍ଲାର କାଳିଆପାଣି ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଆଦିବାସୀ ନାବାଳିକା କଲେଜ୍‌ ଛାତ୍ରୀଙ୍କୁ ଷଡ୍‌ଯନ୍ତ୍ରମୂଳକ ଭାବେ ମଧ୍ୟପ୍ରଦେଶରେ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପରେ କ୍ରେତା ଉକ୍ତ ନାବାଳିକାଙ୍କୁ ବିବାହ କରିଛନ୍ତି। ଏହି ଘଟଣାରେ ପୀଡ଼ିତାଙ୍କ ପରିବାର କାଳିଆପାଣି ଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତ ଦୁଇ ଭଉଣୀଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

ସୂଚନା ଅନୁଯାୟୀ, ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ଗାଁର ଦୁଇ ଭଉଣୀ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ଝିଅ କିଣିବାର ଯୋଜନା କରିଥିଲେ। ଏମାନେ ପୀଡ଼ିତାଙ୍କୁ ତୀର୍ଥଯାତ୍ରା ଏବଂ ପର୍ଯ୍ୟଟନର ପ୍ରଲୋଭନ ଦେଖାଇ ମଧ୍ୟପ୍ରଦେଶ ନେଇଥିଲେ ଏବଂ ସେଠାରେ ବିକ୍ରି କରିଦେଇଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରୁ ସାନଭଉଣୀ ପୀଡ଼ିତାଙ୍କର ସାଙ୍ଗ ଥିଲା। କୁହିକା ଅଞ୍ଚଳର ଏକ ହାଇସ୍କୁଲ୍‌ ହଷ୍ଟେଲ୍‌ରେ ରହି ପଢ଼ୁଥିବା ସମୟରେ ପୀଡ଼ିତାଙ୍କର ଅଭିଯୁକ୍ତ ଯୁବତୀ ସହ ସଂପର୍କ ହୋଇଥିଲା।

ଗ୍ରୀଷ୍ମଛୁଟିରେ ଅଭିଯୁକ୍ତ ଏକାଧିକ ଥର ପୀଡ଼ିତାଙ୍କ ଗାଁକୁ ଆସି ବିଭିନ୍ନ ପ୍ରଲୋଭନ ଦେଖାଇଥିଲା| ଚଳିତ ବର୍ଷ ମାଟ୍ରିକ୍‌ ପାସ୍‌ କରି ସୁକିନ୍ଦା କଲେଜ୍‌ରେ ନାମ ଲେଖାଇଥିବା ପୀଡ଼ିତା ଗତ ଜୁଲାଇ ୨୭ ତାରିଖରେ ନାଟକୀୟ ଭାବେ ଅପହୃତା ହୋଇଥିଲେ। ସେଦିନ ସକାଳେ ଅଭିଯୁକ୍ତ ଯୁବତୀ ଓ ତାଙ୍କର ବିବାହିତା ବଡ଼ଭଉଣୀ ପୀଡ଼ିତାଙ୍କୁ ସାଥୀରେ ଧରି ମଧ୍ୟପ୍ରଦେଶ ପଳାଇଥିଲେ।
ମଧ୍ୟପ୍ରଦେଶରେ ପହଞ୍ଚିବାର କିଛି ଦିନ ପରେ ପୀଡ଼ିତା ଘରକୁ ଫୋନ୍‌ କରି ଭଲରେ ଅଛି ବୋଲି କହିଥିଲେ, ଯାହାଫଳରେ ପରିବାର ଲୋକେ ଚୁପ୍‌ ରହିଥିଲେ। କିନ୍ତୁ ଦେଢ଼ ମାସ ପରେ ଝିଅ ବିକ୍ରି ହୋଇଯାଇଥିବା ଏବଂ କ୍ରେତା ଦ୍ୱାରା ବିବାହ କରାଯାଇଥିବା କଥା ଜଣାପଡ଼ିବାରୁ ପରିବାରଲୋକଙ୍କୁ ଏକ ବଡ ଝଟକା ଲାଗିଥିଲା |

ପୀଡ଼ିତା ଗାଁର ଜଣେ ସଂପର୍କୀୟଙ୍କୁ ବିବାହ ଏବଂ ରାକ୍ଷୀ ଉତ୍ସବର ଫଟୋ ଓ ଭିଡିଓ ପଠାଇଥିଲେ। ଏହା ଦେଖି ପରିବାର ଲୋକେ ଝିଅ ଓ ତାଙ୍କ ଶାଶୁଘର ଲୋକଙ୍କ ସହ ହିନ୍ଦୀରେ କଥାବାର୍ତ୍ତା କରିଥିଲେ। ଥାନାରେ ଏହି ବାର୍ତ୍ତାଳାପ ଓ ଚାଟିଂର ପ୍ରମାଣ ଦିଆଯାଇଛି। କଳିଙ୍ଗନଗର ଏଏସ୍‌ପି ସୁପ୍ରସନ୍ନ ମଲ୍ଲିକ କହିଛନ୍ତି ଯେ, ଘଟଣାର ତଦନ୍ତ ଜାରି ରହିଛି ଏବଂ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ।

Leave a Reply

Your email address will not be published. Required fields are marked *