ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ର ଉଚ୍ଛେଦ ପାଇଁ ବ୍ୟାପକ ପୋଲିସ ମୁତୟନ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କୁ ହଟାଇବା ପାଇଁ ଆଜି କମିଶନରେଟ୍ ପୋଲିସ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସକାଳ ୧୦:୩୦ରୁ ବିଶ୍ୱବିଦ୍ୟାଳୟର ହଷ୍ଟେଲ ନମ୍ବର ୧, ୨, ୩ ଓ ୫ରେ ପୋଲିସ ଛାପା ମାରି ଅଣଛାତ୍ରଙ୍କୁ ବାହାର କରିବ। ଏହି ରେଡ୍ରେ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ରହିବେ। ଜୋନ୍ ୫ର ଏସିପି ବିଶ୍ୱରଂଜନ ସେନାପତି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ନିର୍ବାହ କରିବେ, ଏବଂ ସମ୍ପୂର୍ଣ୍ଣ ସୁରକ୍ଷା ଦାୟିତ୍ୱ ବରିଷ୍ଠ ପୋଲିସ ଅଧିକାରୀ ଅନୁପ କାନୁନଗୋ ତୁଲାଇବେ। ଅଭିଯାନରେ ୫ ଜଣ ଏସିପି, ୪ ଜଣ ଆଇଆଇସି ଏବଂ ୧୩ ଜଣ ଏସଆଇ ନିୟୋଜିତ ହୋଇଛନ୍ତି। ଏକକାଳୀନ ଭାବେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଏହି କାର୍ଯ୍ୟକ୍ରମ ଯୋଗୁଁ ପିଜି କାଉନସିଲ ଆଜି ଦିନ ୧:୩୦ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ କ୍ଲାସ ବାତିଲ କରିଛି। ପୋଲିସ ହଷ୍ଟେଲ ଭିତରେ ପ୍ରବେଶ କରି କେତେକ ରୁମ ଭାଙ୍ଗିଛି, ଯେଉଁଠାରେ ଅଣଛାତ୍ରମାନେ ରହୁଥିବାର ସୂଚନା ମିଳିଛି। ଦୀର୍ଘଦିନ ଧରି ବାଣୀବିହାରରେ ଅଣଛାତ୍ରଙ୍କୁ ହଟାଇବା ପାଇଁ ଦାବି ହେଉଥିଲା। କୁଳପତିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ଅଣଛାତ୍ରମାନେ ହଷ୍ଟେଲରେ ରହିବା ଉଚିତ ନୁହେ। ଏହା ବିଶ୍ୱବିଦ୍ୟାଳୟର ରାଙ୍କିଙ୍ଗକୁ ପ୍ରଭାବିତ କରୁଥିବା ଅଭିଯୋଗ ହେଉଥିଲା। ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, “ଯେଉଁମାନେ ଅଣଛାତ୍ର, ସେମାନେ ନିଜ ଇଚ୍ଛାରେ ହଷ୍ଟେଲ ଛାଡ଼ି ଦିଅନ୍ତୁ। ଶିକ୍ଷାନୁକୂଳ ବାତାବରଣ ସୃଷ୍ଟି ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ନାଲିଆଖି ଦେଖାଇଲେ ହେବ ନାହିଁ।” ସେ ଆହୁରି କହିଛନ୍ତି ଯେ, ହଷ୍ଟେଲ ଫାଙ୍କା ହେବା ପରେ ସେଗୁଡ଼ିକୁ ସିଲ କରାଯାଇ ମରାମତି କରାଯିବ, ଏବଂ ନିୟମାନୁସାରେ କେବଳ ଛାତ୍ରମାନଙ୍କୁ ରହିବା ପାଇଁ ଅନୁମତି ଦିଆଯିବ। ଅଭିଯାନ ସଫଳ ହେବା ପରେ ହଷ୍ଟେଲଗୁଡ଼ିକର ମରାମତି କରାଯିବ ଏବଂ ଶିକ୍ଷାନୁକୂଳ ପରିବେଶ ସୃଷ୍ଟି ପାଇଁ ନିୟମ ମାନି କେବଳ ନିୟମିତ ଛାତ୍ରମାନଙ୍କୁ ପ୍ରବେଶ ଅନୁମତି ଦିଆଯିବ।
