ଉତ୍କଳ ବିଶ୍ଵବିଦ୍ୟାଳୟରେ ଅଣଛାତ୍ରଙ୍କ ଆତଙ୍କ: ସୁରକ୍ଷା ପାଇଁ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କଲେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଦୀର୍ଘ ବର୍ଷ ଧରି ଅଣଛାତ୍ରଙ୍କ ପ୍ରବେଶ ଓ ଅରାଜକତା ଜାରି ରହିଛି। ରାଜ୍ୟର ଏହି ସର୍ବପୁରାତନ ବିଶ୍ୱବିଦ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ ଅଣଛାତ୍ରମାନେ ସନ୍ଧ୍ୟା ହେଲେ କ୍ୟାମ୍ପସରେ ପ୍ରବେଶ କରି ଅସାମାଜିକ କାର୍ଯ୍ୟକଳାପ କରୁଛନ୍ତି। ସେମାନେ ଛାତ୍ରୀଙ୍କୁ ହଇରାଣ, ଅଶ୍ଳୀଳ ଇଙ୍ଗିତ ଓ କମେଣ୍ଟ କରୁଛନ୍ତି ତା ସହିତ ଛାତ୍ରୀନିବାସ ଆଗରେ ଚକ୍କର କାଟୁଛନ୍ତି ଏବଂ ଛାତ୍ରାବାସରେ ଆଡ୍ଡା ଜମାଉଛନ୍ତି। କେବଳ ସେତିକି ନୁହେଁ, କ୍ୟାମ୍ପସ ଛାତ୍ରମାନଙ୍କର ହୋଇଥିଲେ ମଧ୍ୟ ଅଣଛାତ୍ର ସେମାନଙ୍କୁ ଆତଙ୍କିତ କରି ରଖୁଛନ୍ତି। କ୍ୟାମ୍ପସରେ ପାନ, ଗୁଟ୍ଖାଠାରୁ ଆହୁରି ଭୟଙ୍କର ନିଶାଦ୍ରବ୍ୟ ମଧ୍ୟ ପଶୁଛି। ମାତ୍ର ପୁଲିସ କିମ୍ବା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏହାକୁ ରୋକିବା ଦିଗରେ ସଫଳ ହୋଇ ନାହାନ୍ତି। ଅଣଛାତ୍ରଙ୍କ କାର୍ଯ୍ୟକଳାପ ଅଣାୟତଃ ହେଉଥିବାରୁ ଛାତ୍ରଛାତ୍ରୀ ଏବେ ତ୍ରାହିତ୍ରାହି ଡାକିଲେଣି। ନିଜର ସୁରକ୍ଷା ପାଇଁ କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କୁ ତଡ଼ିବାକୁ ସେମାନେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଆଜି ନିବେଦନ କରିଛନ୍ତି।
ଏହି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ନିଜ ସୁରକ୍ଷା ନେଇ ହୋଇ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଅଣଛାତ୍ରଙ୍କ ପ୍ରବେଶ ନିଷେଧ ଓ ୨୪ ଘଣ୍ଟିଆ ପିସିଆର ପାଟ୍ରୋଲିଂ ପାଇଁ ଦାବି କରିଛନ୍ତି। ଗତକାଲି କୁଳସଚିବଙ୍କୁ ଦାବିପତ୍ର ପ୍ରଦାନ ପରେ ଅଣଛାତ୍ର ଓ ଏବିଭିପି-ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ମଧ୍ୟରେ ଗତକାଲିର ଗଣ୍ଡଗୋଳ ପରେ ଆଜି କ୍ୟାମ୍ପସରେ ପୁଲିସ ଛାଉଣୀ ହୋଇଛି। ଏହି ଘଟଣାରେ ପବ୍ଲିକ ଆଡମିନିଷ୍ଟ୍ରେସନ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ରାଜକୁମାର ପରିଡ଼ା ଓ ଲାଇବ୍ରେରୀ ସାଇନ୍ସ ବିଭାଗର ଛାତ୍ର ହେମନ୍ତ କୁମାର ହାଁସଦା ଆହତ ହୋଇ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଅତୀତରେ ମଧ୍ୟ ଅଣଛାତ୍ରଙ୍କ ପ୍ରବେଶ ନେଇ ଅଭିଯୋଗ ହୋଇଛି, କିନ୍ତୁ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ୨୦୧୯ରେ ପୁଲିସ ଓ ବିଶ୍ୱବିଦ୍ୟାଳୟର ମିଳିତ ଅଭିଯାନରେ ଛାତ୍ରାବାସରୁ ମଦ, ନିଶାଦ୍ରବ୍ୟ ଓ ଜୁଆ ସାମଗ୍ରୀ ଜବତ ହୋଇଥିଲା, କିନ୍ତୁ ତା’ପରେ ସୁରକ୍ଷା ବ୍ୟବସ୍ଥା ଦୃଢ଼ ହୋଇନାହିଁ। ସିସିଟିଭି ଅକାମୀ ଓ ଷ୍ଟ୍ରିଟ୍ ଲାଇଟ୍ ଅଚଳ ରହୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଭୂମିକା ଫାଟକ ବାହାରେ ସୀମିତ ରହିଛି।
ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା ଦୃଢ଼ କରିବା, ଅଣଛାତ୍ରଙ୍କୁ ଚିହ୍ନଟ ଓ ତଡ଼ିବା ଏବଂ ନିୟମିତ ପୁଲିସ ପାଟ୍ରୋଲିଂ ପାଇଁ ଦାବି କରୁଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ଛାତ୍ରଛାତ୍ରୀ ଆଶା ରଖିଛନ୍ତି।
