ଅନିୟନ୍ତ୍ରିତ ପ୍ଲେ ସ୍କୁଲ୍ ବୃଦ୍ଧି: ଶିଶୁମାନେ ଅସୁରକ୍ଷିତ
ଭୁବନେଶ୍ବର: ଘରୋଇ ପ୍ଲେସ୍କୁଲ୍ ଏକ ଉଦ୍ୟୋଗ କି ଏକ ବିପଦ? ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ ବଢୁଛି ପ୍ଲେ ସ୍କୁଲର ବ୍ୟବସାୟ | ଏହି ସ୍କୁଲ୍ଗୁଡ଼ିକରେ ପିଲାଙ୍କ ନାମଲେଖା ହେଉଛି, ପାଠପଢ଼ା ଓ ଖେଳକୁଦ ଶିଖାଯାଉଛି। କିନ୍ତୁ ଏହି ସ୍କୁଲ୍ଗୁଡ଼ିକରେ ଶିକ୍ଷାର ମାନ ଓ ତାଲିମର ଗୁଣବତ୍ତା ଉପରେ କୌଣସି ତଦାରଖ ବା ଯାଞ୍ଚ ହେଉନାହିଁ। ଶିକ୍ଷା ଅଧିକାର ଆଇନ-୨୦୦୯, ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଆଇନ-୨୦୧୩ ଏବଂ ଜାତୀୟ ଶିକ୍ଷାନୀତି-୨୦୨୦ ପରେ କେନ୍ଦ୍ର ସରକାର ପ୍ଲେ ସ୍କୁଲ୍ ପରିଚାଳନା ପାଇଁ ନିୟମାବଳୀ ଜାରି କରିଛନ୍ତି।
ଜାତୀୟ ଶିଶୁ ସୁରକ୍ଷା ଆୟୋଗ ମଧ୍ୟ ୨୦୨୨ରେ ବେସରକାରୀ ପ୍ଲେ ଓ ନର୍ସରୀ ସ୍କୁଲ୍ଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ଜାରି କରିଛି। ରାଜ୍ୟ ସରକାରଙ୍କୁ ଏହାକୁ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ, ଏଥିପ୍ରତି କୌଣସି ପଦକ୍ଷେପ ନିଆଯାଇନାହିଁ।
ପ୍ରତିବର୍ଷ ଭୁବନେଶ୍ବରରେ ପ୍ରାୟ ୧୮ ହଜାର ଛାତ୍ରଛାତ୍ରୀ ଘରୋଇ ପ୍ଲେ ସ୍କୁଲ୍ରେ ନାମ ଲେଖାଉଛନ୍ତି। ଏହି ସ୍କୁଲ୍ଗୁଡ଼ିକ ନାମଲେଖା ବାବଦରେ ୧୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ନେଉଛନ୍ତି, ଆଉ ମାସିକ ଫି ୧ ହଜାରରୁ ୬ ହଜାର ଟଙ୍କା ମଧ୍ୟରେ ରହୁଛି। କିନ୍ତୁ ଫି ଷ୍ଟ୍ରକଚର୍ ନିର୍ଦ୍ଧାରଣ ନହେବାରୁ ସ୍କୁଲ ମାଲିକମାନେ ଅତ୍ୟଧିକ ଲାଭ ନେଉଛନ୍ତି। ଏହାସହ, ଭୁବନେଶ୍ବରରେ କେତେ ସଂଖ୍ୟାରେ ପ୍ଲେ ସ୍କୁଲ୍ ରହିଛି, ତାହାର କୌଣସି ସଠିକ ତଥ୍ୟ ନାହିଁ। କେତେକ ସ୍କୁଲ୍ ଭଡ଼ା ଘରେ, କେତେକ ଦୁଇ ମହଲା ଉପରେ କିମ୍ବା ଆଜ୍ବେଷ୍ଟସ୍ ଛାତ ତଳେ ଚାଲୁଛି। ଅନେକ ସ୍କୁଲରେ କୋଠରିଗୁଡ଼ିକ ଅପର୍ଯ୍ୟାପ୍ତ ଓ ଅସୁରକ୍ଷିତ, ଯାହା ପିଲାଙ୍କ ଜୀବନକୁ ବିପଦ ଆଡ଼କୁ ଠେଲି ଦେଉଛି।
୨୦୧୭-୧୮ ଶିକ୍ଷାବର୍ଷରେ ରାଜ୍ୟ ସରକାର ଏହି ସମସ୍ୟାର ସମାଧାନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରି ଗାଇଡ୍ଲାଇନ୍ ପ୍ରସ୍ତୁତ କରିଥିଲେ। ଡ୍ରାଫ୍ଟରେ ୩ ବର୍ଷରୁ କମ୍ ବୟସର ପିଲାଙ୍କ ନାମଲେଖା ବାରଣ, ପ୍ରତି ୨୦ ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ ଓ କେୟାରଟେକର୍, ଅଭିଭାବକ-ଶିକ୍ଷକ କମିଟି ଗଠନ ଏବଂ ମାସିକ ବୈଠକ ଆଦି ନିୟମ ରହିଥିଲା। ଏହାସହ, କୌଣସି ସ୍କୁଲ୍ ହଠାତ୍ ବନ୍ଦ ହେବା ପୂର୍ବରୁ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଥିଲା। ମାତ୍ର ୨୦୧୮ ଜାନୁଆରୀରେ ପ୍ରସ୍ତୁତ ହୋଇଥିବା ଏହି ଡ୍ରାଫ୍ଟ ଆଜି ପର୍ଯ୍ୟନ୍ତ କାଗଜରେ ହିଁ ଅଟକି ରହିଛି।
