ଓଡିଶା ରାଜନୀତିରେ କଂଗ୍ରେସକୁ ମିଳୁଛି ନୂଆ ସମ୍ଭାବନା:ଭୂପିନ୍ଦରଙ୍କ ବୟାନ

ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଭୂପିନ୍ଦର ସିଂହ ରାଜ୍ୟ ରାଜନୀତିକୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ବିଜୁ ଜନତା ଦଳ ମୁଖ୍ୟ ବିରୋଧୀ ଦଳ ଭାବେ ନିଜର ଭୂମିକା ଠିକ୍‌ ଭାବେ ତୁଲାଇ ପାରୁନଥିବାରୁ କଂଗ୍ରେସ ଦଳ ଏହାର ଫାଇଦା ଉଠାଇ ରାଜ୍ୟରେ ନିଜର ସ୍ଥିତିକୁ ମଜବୁତ କରୁଛି।

ଭୂପିନ୍ଦର କହିଛନ୍ତି, “ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ। ମୋର ଭବିଷ୍ୟତ କଣ ହେବ, ତାହା ଲୋକେ ନିଷ୍ପତ୍ତି ନେବେ। ଲୋକେ ମୋତେ କହୁଛନ୍ତି, ଆପଣ ଆମର ନେତା। ଆପଣ ଯେଉଁ ସିମ୍ବଲରେ ଛିଡ଼ା ହେବେ, ଆମେ ଆପଣଙ୍କ ସହ ରହିବୁ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଲୋକଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି ହୋଇଛି ଯେ ବିଜେଡି ଓ ବିଜେପି ମଧ୍ୟରେ ଖାସ୍‌ ପାର୍ଥକ୍ୟ ନାହିଁ।

ସେ ଅଭିଯୋଗ କରିଛନ୍ତି ଯେ, ୨୦୨୪ ନିର୍ବାଚନ ପରେ ବିଜେଡି ସଂସଦରେ ନିଜର ଷ୍ଟାଣ୍ଡ ସ୍ପଷ୍ଟ କରିପାରିନାହିଁ। “ବିଜେଡି ଠିକ୍‌ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନାହିଁ। ଲୋକେ ବିରୋଧୀ ଦଳଠାରୁ ଯାହା ଆଶା କରୁଛନ୍ତି, ତାହା ବିଜେଡି ଦେଇପାରୁନାହିଁ। ଯାହା ଫଳରେ ରାଜ୍ୟରେ ଓ ଦେଶରେ କଂଗ୍ରେସ ନିଜର ପ୍ରଭାବ ବୃଦ୍ଧି କରିବାରେ ଲାଗିଛି ,” ବୋଲି ଭୂପିନ୍ଦର କହିଛନ୍ତି। ସେ ଦଳୀୟ ନେତାମାନଙ୍କୁ ଗମ୍ଭୀରତାର ସହ ଏହାକୁ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି।

ଭୂପିନ୍ଦରଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ଏକ ନୂଆ ବିତର୍କ ସୃଷ୍ଟି କରିଛି। ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି ଯେ, ବିଜେଡିର ବିରୋଧୀ ଦଳ ଭାବେ ଦୁର୍ବଳ ପ୍ରଦର୍ଶନ ଓଡ଼ିଶାରେ କଂଗ୍ରେସକୁ ପୁନର୍ଜାଗରଣର ସୁଯୋଗ ଦେଉଛି। ତେବେ, ବିଜେଡି ଏହି ଅଭିଯୋଗକୁ ଖଣ୍ଡନ କରି କହିଛି ଯେ ସେମାନେ ଲୋକଙ୍କ ସମସ୍ୟାକୁ ନେଇ ସଂସଦ ଓ ବିଧାନସଭାରେ ସରକାରଙ୍କୁ ଘେରୁଛନ୍ତି।

Leave a Reply

Your email address will not be published. Required fields are marked *