କଟକରେ ମେୟର ଓ ଜିଲ୍ଲାପାଳଙ୍କ ମଧ୍ୟରେ ନୂଆ ବିବାଦ
କଟକ: କ’ଣ ପାଇଁ ମେୟର ଓ କର୍ପୋରେଟର ଙ୍କୁ କରାଯାଇଛି ଅଣଦେଖା ? ଅଣଦେଖା ପଛର କାରଣ କ’ଣ? ରାଜନୈତିକ କାରଣ ନାଁ ଆଉ କିଛି ?କଟକ ମହାନଗର ନିଗମର ମେୟର ସୁବାସ ସିଂ ଓ ଜିଲ୍ଲାପାଳଙ୍କ ମଧ୍ୟରେ ନୂଆ ବିବାଦ ସାମ୍ନାକୁ ଆସିଛି। ମେୟର ସୁବାସ ସିଂ ଅଭିଯୋଗ କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କୁ ଏବଂ ସ୍ଥାନୀୟ କର୍ପୋରେଟରମାନଙ୍କୁ ଇଚ୍ଛାକୃତ ଭାବେ ଅଣଦେଖା କରାଯାଉଛି। ଏହି ଅଭିଯୋଗ କଟକରେ ରାଜନୈତିକ ଚର୍ଚ୍ଚାକୁ ତୀବ୍ର କରିଛି।
ଗତ ୨୨ ତାରିଖରେ କଟକ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କଟକ ସହରର ସମସ୍ତ ବିଧାୟକମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ମେୟର ସୁବାସ ସିଂଙ୍କୁ କୌଣସି ନିମନ୍ତ୍ରଣ ଦିଆଯାଇ ନଥିଲା ବୋଲି ସେ ଅଭିଯୋଗ କରିଛନ୍ତି।
ସେହିପରି, ଗତ ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ଗସ୍ତରେ ଆସି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ନୂଆପଡ଼ାଠାରେ କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର ୨ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି କାର୍ଯ୍ୟକ୍ରମରେ ମଧ୍ୟ ମେୟର କିମ୍ବା କୌଣସି ସ୍ଥାନୀୟ କର୍ପୋରେଟରଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା ବୋଲି ମେୟର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ଅଭିଯୋଗକୁ ଖଣ୍ଡନ କରି ଜିଲ୍ଲାପାଳ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମଗୁଡ଼ିକରେ କାହାକୁ ନିମନ୍ତ୍ରଣ କରାଯିବ ତାହା ଆଲୁମିନି ଆସୋସିଏସନ ନିଷ୍ପତ୍ତି ନେଇଥିଲେ। ଜିଲ୍ଲା ପ୍ରଶାସନର ଏଥିରେ କୌଣସି ହାତ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।ମେୟର ଓ କର୍ପୋରେଟରମାନଙ୍କୁ ଅଣଦେଖା କରାଯିବା ପଛରେ ରାଜନୈତିକ କାରଣ ରହିଛି ନା ଅନ୍ୟ କୌଣସି ବିଷୟ ରହିଛି, ତାହା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣା କଟକର ରାଜନୈତିକ ମହଲରେ ନୂଆ ବିବାଦର ସୂଚନା ଦେଇଛି।
