ବଲେନ୍ଦ୍ର ବନିବେ ନେପାଳ ପ୍ରଧାନମନ୍ତ୍ରୀ!
କାଠମାଣ୍ଡୁ: ନେପାଳରେ ଯୁବପିଢ଼ିଙ୍କ ମଧ୍ୟରେ ଏକ ଜୋରଦାର ଉତ୍ସାହର ଲହରୀ ଦେଖାଦେଇଛି, ଯେଉଁଥିରେ ୩୫ ବର୍ଷୀୟ କାଠମାଣ୍ଡୁ ମେୟର୍ ବଲେନ୍ଦ୍ର ଶାହ, ଯିଏ ବଲେନ୍ ନାମରେ ଜଣାଶୁଣା। କେ.ପି. ଶର୍ମା ଓଲିଙ୍କ ଇସ୍ତଫା ପରେ ବଲେନଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ନେପାଳର ଯୁପ ପିଢ଼ି। ଜଣେ ପୂର୍ବତନ ସିଭିଲ୍ ଇଞ୍ଜିନିୟର ଓ ରାପର୍ ଥାଇ ରାଜନୀତିରେ ପାଦ ଦେଇଥିବା ବଲେନ୍ ନେପାଳର ଜେନ୍-ଜିଙ୍କ ମନ ଜିଣିଛନ୍ତି, ଯେଉଁମାନେ ତାଙ୍କୁ ଦୁର୍ନୀତି ଓ ଅସମାନତା ଭଳି ସମସ୍ୟାର ସମାଧାନ କରିବାରେ ସକ୍ଷମ ଏକ ନୂଆ ଚେହେରା ଭାବେ ଦେଖୁଛନ୍ତି।
ବଲେନଙ୍କ ଯାତ୍ରା ସଙ୍ଗୀତ ଓ ଇଞ୍ଜିନିୟରିଂ ଜଗତରୁ ରାଜନୀତି ପର୍ଯ୍ୟନ୍ତ ଅତ୍ୟନ୍ତ ପ୍ରେରଣାଦାୟୀ। ୧୯୯୦ରେ କାଠମାଣ୍ଡୁରେ ଜନ୍ମିତ ବଲେନ୍ ଭାରତରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। କର୍ଣ୍ଣାଟକର ବିଶ୍ବେଶ୍ବରାୟ ଟେକନୋଲୋଜିକାଲ୍ ୟୁନିଭର୍ସିଟିରୁ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ନେପାଳ ଫେରିବା ପରେ ସେ ଜଣେ ରାପର୍ ଓ ଗୀତିକାର ଭାବେ ଯୁବବର୍ଗଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ତାଙ୍କ ଗୀତରେ ଦୁର୍ନୀତି ଓ ଅସମାନତା ବିରୋଧରେ ଶାଣିତ ସ୍ବର ଉଠୁଥିଲା, ଯାହା ଯୁବକମାନଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା।
୨୦୨୨ରେ ବଲେନ୍ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ କାଠମାଣ୍ଡୁ ମେୟର୍ ନିର୍ବାଚନରେ ଲଢ଼ିଥିଲେ। ମାତ୍ର ୩୨ ବର୍ଷ ବୟସରେ ସେ ବିଜୟୀ ହୋଇ ନେପାଳର ସବୁଠାରୁ କମ୍ ବୟସ୍କ ମେୟରମାନଙ୍କ ମଧ୍ୟରୁ ଜଣେ ହୋଇଥିଲେ। ତାଙ୍କ କାର୍ଯ୍ୟକାଳରେ ସେ ସକ୍ରିୟ ଶାସନ ଦେଖାଇଛନ୍ତି ଓ ସୋସିଆଲ ମିଡିଆରେ ତାଙ୍କର ଜୋରଦାର ଉପସ୍ଥିତି ତାଙ୍କୁ ଏକ ଟ୍ରେଣ୍ଡିଂ ବ୍ୟକ୍ତିତ୍ବରେ ପରିଣତ କରିଛି।
ଯଦିଓ ବଲେନ୍ ନିକଟରେ ହୋଇଥିବା ଆନ୍ଦୋଳନରେ ସିଧାସଳଖ ଭାଗ ନେଇନଥିଲେ, ସେ ଏହାକୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ, ଯାହା ତାଙ୍କୁ ଯୁବକମାନଙ୍କ ଆକାଂକ୍ଷା ସହ ଯୋଡ଼ିଛି। ଏହି ସମର୍ଥନ ତାଙ୍କୁ ସ୍ଥାନୀୟ ନେତାଙ୍କ ଠାରୁ ଜାତୀୟ ବ୍ୟକ୍ତିତ୍ବରେ ପରିଣତ କରିଛି। ଆନ୍ଦୋଳନକାରୀ ଓ ଯୁବ କର୍ମୀମାନେ, ଯେଉଁମାନେ ପରିବର୍ତ୍ତନ ପାଇଁ ଆଗରେ ରହିଛନ୍ତି, ବଲେନଙ୍କୁ ଓଲିଙ୍କ ଉତ୍ତରାଧିକାରୀ ଭାବେ ଦେଖୁଛନ୍ତି। ବଲେନଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ସ୍ଲୋଗାନ ଓ ସୋସିଆଲ ମିଡିଆ ଅଭିଯାନ ଜୋର ଧରିଛି, ଛାତ୍ରଛାତ୍ରୀ ଓ ଯୁବପିଢ଼ି ଦାବି କରୁଛନ୍ତି ଯେ ତାଙ୍କ ନେତୃତ୍ବ ସ୍ବଚ୍ଛତା ଓ ସମାନତାର ଏକ ନୂଆ ଯୁଗ ଆଣିପାରିବ।
କାଠମାଣ୍ଡୁରେ ଆନ୍ଦୋଳନରେ ଥିବା ଜଣେ ବିଶ୍ବବିଦ୍ୟାଳୟ ଛାତ୍ର କହିଛନ୍ତି, “ବଲେନ୍ ଆମେ ଚାହୁଁଥିବା ପରିବର୍ତ୍ତନର ପ୍ରତୀକ। ସେ ପୁରୁଣା ରାଜନେତାଙ୍କ ମଧ୍ୟରୁ ଜଣେ ନୁହଁନ୍ତି; ସେ ଆମ ମଧ୍ୟରୁ ଜଣେ – ଜଣେ ଇଞ୍ଜିନିୟର, ଯିଏ ପ୍ରକୃତ ସମସ୍ୟା ଉପରେ ରାପ୍ କରନ୍ତି ଓ ମେୟର୍ ଭାବେ କାମ କରନ୍ତି।”
ରାଜନୈତିକ ଦଳମାନେ ନୂଆ ସରକାର ଗଠନ ପାଇଁ ଉଦ୍ୟମ କରୁଥିବା ବେଳେ, ବଲେନଙ୍କ ପାଇଁ ଜନସମର୍ଥନର ଲହରୀ ଏକ ପିଢ଼ିଗତ ପରିବର୍ତ୍ତନର ସଙ୍କେତ ଦେଉଛି।
