ଚାଷୀଙ୍କୁ ତାଙ୍କ କ୍ଷତିପୂରଣ ଦିଆଯାଉ କହି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ପୁଣି ଉଠାଇଲେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା

ଭୁବନେଶ୍ୱର: ଗତ ମାସରେ ରାଜ୍ୟରେ ଅନିୟମିତ ବର୍ଷା ଯୋଗୁଁ ଫସଲ ହାନି ହୋଇଥିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିକୁ ଯେପରି କୃଷକମାନେ କମ୍ କରିପାରିବେ ସେଥିପାଇଁ ପାଣିପାଗ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଠିକ୍ ସମୟରେ ପ୍ରଦାନ କରିବା ଉପରେ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି। ମୁଁ ପୁଣି ଥରେ କହିବାକୁ ଚାହୁଁଛି ଯେ ଓଡ଼ିଶା ସରକାର ଆମ ଚାଷୀଙ୍କ ଦୁର୍ଦ୍ଦଶାକୁ ଗମ୍ଭୀରତାର ସହ ନେବା ଉଚିତ ଏବଂ ଉଚିତ ତଦନ୍ତ ପରେ ଠିକ୍ ସମୟରେ କ୍ଷତିପୂରଣ ପ୍ରଦାନ କରିବା ଉଚିତ୍ । ଏହାବ୍ୟତୀତ ସରକାର କୃଷକମାନଙ୍କୁ ପାଣିପାଗ ଅପଡେଟ୍ ବିଷୟରେ ଠିକ୍ ସମୟରେ ପରାମର୍ଶ ଦେବା ର ଆବଶ୍ୟକତା ରହିଛି। “
ଉଲ୍ଲେଖଯୋଗ୍ୟ, ୨୦୨୪ ଡିସେମ୍ବର ୩୦ ଓ ୩୧ ତାରିଖରେ ନବୀନ ପଟ୍ଟନାୟକ ଗଞ୍ଜାମ, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିଥିଲେ। ଡିସେମ୍ବର ମାସରେ ଅନିୟମିତ ବର୍ଷା ଯୋଗୁଁ ବ୍ୟାପକ କ୍ଷତି ସହିଥିବା କୃଷକମାନଙ୍କୁ ସେ ଭେଟିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ କୃଷକ ଏବଂ ସେମାନଙ୍କ ପରିବାର ଗଭୀର ଦୁଃଖରେ ଅଛନ୍ତି। ବର୍ଷା ଯୋଗୁଁ ଧାନ ଓ ଅନ୍ୟାନ୍ୟ ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଛି।
ଜଗତସିଂହପୁର ଜିଲ୍ଲା ଗସ୍ତ ସମୟରେ ବାଲିକୁଦା ବ୍ଲକର ଯୁବ ଚାଷୀ କୃତିବାସ ସ୍ୱାଇଁଙ୍କ ପରିବାରକୁ ଭେଟି ଫସଲ ହାନୀ ସହି ନ ପାରି ଗତ ଡିସେମ୍ବର ୩୦ ତାରିଖରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଅନିୟମିତ ବର୍ଷା ଯୋଗୁଁ ଫସଲ ହାନୀ ପାଇଁ କୃତିବାସୀ ସ୍ୱାଇଁଙ୍କ ଆତ୍ମହତ୍ୟା ଅତ୍ୟନ୍ତ ଦୁଃଖଦାୟକ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।
ସେ କହିଛନ୍ତି ଯେ କୃଷକମାନେ ନିଜ ଦୁଃଖ ବାବଦରେ ମତାମତ ରଖିଛନ୍ତି ତାଙ୍କ ସହିତ। ନିକଟ ଅତୀତରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ସେ କହିଛନ୍ତି।
ଓଡ଼ିଶାର କୃଷକ ଓ ସେମାନଙ୍କ ପରିବାର ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଆତ୍ମବିଶ୍ୱାସ ଭାଙ୍ଗିଯାଇଛି। ବର୍ତ୍ତମାନ ପରିସ୍ଥିତିରେ ସରକାର କଠିନ ପରିଶ୍ରମ କରିବା ସହ ଠିକ୍ ସମୟରେ ଓ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରନ୍ତୁ, ଯାହାଦ୍ୱାରା କୃଷକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ବୋଲି ନବୀନ ପଟ୍ଟନାୟକ ଦାବି କରିଛନ୍ତି।
ସରକାର ଠିକ୍ ସମୟରେ ପରାମର୍ଶ ଦେଉ ନ ଥିବାରୁ ବର୍ଷାର ତୀବ୍ରତା ସମ୍ପର୍କରେ ସେମାନେ ଅବଗତ ନଥିବା ଚାଷୀମାନେ କହିଛନ୍ତି। ଏତଦ ବ୍ୟତୀତ ଅନେକ ସ୍ଥାନରେ ଫସଲ କ୍ଷୟକ୍ଷତିର ସର୍ଭେ କରାଯାଇ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି।
ସ୍ୱତନ୍ତ୍ର ରାଜ୍ୟ ଦାବି ଉପରେ ଗୁରୁତ୍ୱାରୋପ କରି ବରିଷ୍ଠ ନେତା କହିଛନ୍ତି ଯେ ଯଦି ଓଡ଼ିଶା ଆଜି ସ୍ୱତନ୍ତ୍ର ରାଜ୍ୟ ହୋଇଥାନ୍ତା, ତେବେ କୃଷକଙ୍କ ପରିବାରକୁ ଅତିରିକ୍ତ ସହାୟତା ମିଳିଥାନ୍ତା ଏବଂ ସେମାନଙ୍କ ଭାଙ୍ଗି ଯାଇଥିବା ଆତ୍ମବିଶ୍ୱାସ ଠିକ୍ ସମୟରେ ପୁନରୁଦ୍ଧାର ହୋଇଥାନ୍ତା। ସେଥିପାଇଁ ବିଜେଡି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ଆସୁଛି ଓ ଜାରି ରଖିବ ବୋଲି ବିରୋଧୀ ଦଳ ନେତା ଲେଖିଛନ୍ତି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରମୁଖ ରବିବାର ବିଭିନ୍ନ ଜିଲ୍ଲା ଗସ୍ତ କରି ଅନିୟମିତ ବର୍ଷା ଯୋଗୁଁ ବିଭିନ୍ନ ଫସଲ କ୍ଷୟକ୍ଷତିର ସମୀକ୍ଷା କରିଥିଲେ।