ସଂସଦରେ ନୋ-ଫ୍ଲାଏ ତାଲିକାକୁ ନେଇ ଚର୍ଚ୍ଚା: ବିମାନ ଯାତାୟତରେ ଏମାନଙ୍କୁ ନାହିଁ ଅନୁମତି
ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ମୁରଲୀଧର ମୋହୋଲ ମଙ୍ଗଳବାର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୩୦ ପର୍ଯ୍ୟନ୍ତ ମୋଟ ୪୮ ଜଣ ବିମାନ ଯାତ୍ରୀଙ୍କୁ ନୋ-ଫ୍ଲାଏ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି | ତଥ୍ୟ ଅନୁଯାୟୀ, ବିମାନରେ ଗଣ୍ଡଗୋଳ ଏବଂ ଯାତ୍ରୀ ତଥା ବିମାନ କର୍ମଚାରୀଙ୍କୁ ଅସଦାଚରଣ କରୁଥିବା ଅନୁଶାସନହୀନ ଯାତ୍ରୀମାନଙ୍କ ଉପରେ ଏପରି ଗମ୍ଭୀର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି | ସେହିପରି, ୨୦୨୪ ମସିହାରେ ୮୨ ଜଣ ଯାତ୍ରୀଙ୍କୁ ନୋ-ଫ୍ଲାଏ ତାଲିକାରେ ରଖାଯାଇଥିଲା ଏବଂ ୨୦୨୩ ମସିହାରେ ୧୧୦ ଜଣ ଯାତ୍ରୀଙ୍କୁ ନୋ-ଫ୍ଲାଏ ତାଲିକାରେ ରଖାଯାଇଥିଲା
ଏହାସହିତ, ୨୦୨୨ ମସିହାରେ ୬୩ ଜଣ, ୨୦୨୧ ମସିହାରେ ୬୬ ଜଣ ଏବଂ ୨୦୨୦ ମସିହାରେ ୧୦ ଜଣ ଯାତ୍ରୀଙ୍କୁ ନୋ-ଫ୍ଲାଏ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ମୋହୋଲ କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଦ୍ୱାରା ଜାରି କରାଯାଇଥିବା ବେସାମରିକ ବିମାନ ଚଳାଚଳ ନିୟମ ଅନୁଯାୟୀ, ବିମାନରେ ଅନୁଶାସନହୀନ ଯାତ୍ରୀମାନଙ୍କୁ ସେମାନଙ୍କ ଭୁଲର ଗମ୍ଭୀରତା ଉପରେ ନିର୍ଭର କରି ତିନୋଟି ସ୍ତରରେ ବିଭାଜନ କରାଯାଇଛି।
ସେ କହିଛନ୍ତି ଯେ ସ୍ତର-୧ ଅନୁଶାସନହୀନତା ପାଇଁ ସର୍ବାଧିକ ତିନି ମାସ, ସ୍ତର-୨ ପାଇଁ ସର୍ବାଧିକ ଛଅ ମାସ ଏବଂ ସ୍ତର-୩ ପାଇଁ ସର୍ବନିମ୍ନ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧାର୍ଯ୍ୟ କରାଯାଇଛି।
