ଇଣ୍ଡୋନେସିଆ-ଇଣ୍ଡିଆ ମଧ୍ଯରେ ଏମଓୟୁ, ଚର୍ଚ୍ଚାରେ କଟକ ବାଲିଯାତ୍ରା ପ୍ରସଙ୍ଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଭୋ ସୁବିଆଣ୍ଟୋ ଶନିବାର ରାଜଧାନୀର ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି।
ବୈଠକରେ ସ୍ୱାସ୍ଥ୍ୟ ସହଯୋଗ, ଡିଜିଟାଲ ଭିତ୍ତିଭୂମି ଏବଂ ପ୍ରତିରକ୍ଷା ସହଯୋଗ ଭଳି କ୍ଷେତ୍ରରେ ଅନେକ ବୁଝାମଣାପତ୍ର (ଏମଓୟୁ) ଆଦାନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏସିଆନ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଂଶୀଦାର ଭାବରେ ଇଣ୍ଡୋନେସିଆର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏବଂ ଏହାର ‘ଆକ୍ଟ ଇଷ୍ଟ’ ନୀତି ଅଧୀନରେ ଏସିଆନର କେନ୍ଦ୍ରୀୟତା ଏବଂ ଏକତା ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।
୨୦୨୫ ବର୍ଷକୁ ଭାରତ-ଏସିଆନ ପର୍ଯ୍ୟଟନ ବର୍ଷ ଭାବେ ପାଳନ କରାଯିବ। ଏହା ଦ୍ୱାରା ସାଂସ୍କୃତିକ ଆଦାନପ୍ରଦାନ ବୃଦ୍ଧି ପାଇବ ଏବଂ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ । ଏସିଆନ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଇଣ୍ଡୋନେସିଆ ଆମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ଏହି ଅଞ୍ଚଳରେ ଶାନ୍ତି, ନିରାପତ୍ତା, ସମୃଦ୍ଧି ଏବଂ ଆଇନର ଶାସନ ବଜାୟ ରଖିବା ପାଇଁ ଆମେ ଦୁହେଁ ପ୍ରତିଶ୍ରୁତିବଦ୍ଧ। ଆନ୍ତର୍ଜାତିକ ଆଇନ ଅନୁଯାୟୀ ନାଭିଗେସନ୍ ର ସ୍ୱାଧୀନତା ସୁନିଶ୍ଚିତ କରାଯିବା ଉଚିତ ବୋଲି ଆମେ ସହମତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମର ‘ଆକ୍ଟ-ଇଷ୍ଟ’ ନୀତିରେ ଏସିଆନ ଏକତା ଏବଂ କେନ୍ଦ୍ରୀୟତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ଐତିହାସିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସରେ ଇଣ୍ଡୋନେସିଆ ମୁଖ୍ୟ ଅତିଥି ଥିଲା ଏବଂ ଆମେ ଗଣତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ଇଣ୍ଡୋନେସିଆ ଏହି ଐତିହାସିକ ଅବସରରେ ସାମିଲ ହେବା ଅତ୍ୟନ୍ତ ଗର୍ବର ବିଷୟ।
ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧିକୁ ଏହି ଅବସରରେ ଉଲ୍ଲେଖ କରିଛନ୍ତି। ଯାହା କି ଗତ ବର୍ଷ ୩୦ ବିଲିୟନ ଡଲାର ଅତିକ୍ରମ କରିଥିଲା । ସେହିପରି ଫିନଟେକ୍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ଘୋଷଣା ହୋଇଛି। ସାମୁଦ୍ରିକ ନିରାପତ୍ତା, ସାଇବର ନିରାପତ୍ତା, ଆତଙ୍କବାଦ ମୁକାବିଲା ଏବଂ ଉଗ୍ରବାଦମୁକ୍ତି କ୍ଷେତ୍ରରେ ସହଯୋଗୀ ପ୍ରୟାସ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।
ସାମୁଦ୍ରିକ ନିରାପତ୍ତା, ଅପରାଧ ନିରାକରଣ, ଅନୁସନ୍ଧାନ ଏବଂ ଉଦ୍ଧାର ଏବଂ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ରାଜିନାମା ଅନ୍ତର୍ଭୁକ୍ତ । ଏହାବ୍ୟତୀତ ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ ଏବଂ ମହାକାଶ କ୍ଷେତ୍ରରେ ଭାଗିଦାରୀ ଆହୁରି ସୁଦୃଢ଼ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ରାମାୟଣ, ମହାଭାରତ ଏବଂ ବାଲିଯାତ୍ରା କୁ ଉଲ୍ଲେଖ କରି ସାଂସ୍କୃତିକ ଏବଂ ଐତିହାସିକ ସମ୍ପର୍କ ଏବଂ ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରର ସଂରକ୍ଷଣରେ ଭାରତର ସମ୍ପୃକ୍ତି ଉପରେ ଆଲୋକପାତ କରିଛନ୍ତି।
ବ୍ରିକ୍ସରେ ଇଣ୍ଡୋନେସିଆର ସଦସ୍ୟତାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ଏବଂ ବିଶ୍ୱ ଦକ୍ଷିଣ ଦେଶମାନଙ୍କର ସ୍ୱାର୍ଥ ଉପରେ ସହଯୋଗ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
ଭାରତରେ ଇଣ୍ଡୋନେସିଆ ଦୂତାବାସ ଭାରତ ସରକାରଙ୍କ ଦ୍ୱାରା ଦାନ କରାଯାଇଥିବା ଜମିରେ ଅବସ୍ଥିତ ବୋଲି ଉଲ୍ଲେଖ କରି ପ୍ରବୋଓ ଭାରତକୁ ଦୀର୍ଘଦିନର ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି।
୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇ ପ୍ରବୋଓ କହିଛନ୍ତି ଯେ ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ପରେଡ୍ ରେ ମୁଁ ମୁଖ୍ୟ ଅତିଥି ଭାବେ ଯୋଗ ଦେବି ଏବଂ ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମ ମୁଖ୍ୟ ଅତିଥି ଥିଲେ ରାଷ୍ଟ୍ରପତି ସୁକର୍ନୋ, ତେଣୁ ଏହା ମୋ ପାଇଁ ଏକ ବଡ଼ ସମ୍ମାନ। ପ୍ରଥମ ଥର ପାଇଁ ଇଣ୍ଡୋନେସିଆର ଏକ ସାମରିକ ଦଳ ଇଣ୍ଡୋନେସିଆ ବାହାରେ ଏକ ସାମରିକ ପ୍ୟାରେଡରେ ଭାଗ ନେଇଛନ୍ତି।
ଇଣ୍ଡୋନେସିଆ ଭାରତକୁ ଦୀର୍ଘଦିନର ବନ୍ଧୁ ଭାବେ ବିବେଚନା କରୁଛି। ଭାରତ ଆମସ୍ୱାଧୀନତା ସଂଗ୍ରାମର ପ୍ରଥମ ଶକ୍ତିଶାଳୀ ସମର୍ଥକ ମାନଙ୍କ ମଧ୍ୟରୁ ଅନ୍ୟତମ ଥିଲା । ସ୍ୱାଧୀନତା ସଂଗ୍ରାମରେ ଭାରତ ସହାୟତା, ଆର୍ଥିକ ସହାୟତା ଏବଂ ଚିକିତ୍ସା ସହାୟତା ପଠାଇଥିଲା । ଆମର ଏହି ଜଟିଳ ସମୟରେ ଅନେକ ଭାରତୀୟ ନେତା ଆମକୁ ସମର୍ଥନ କରିଥିଲେ।
ବ୍ରିକ୍ସରେ ଇଣ୍ଡୋନେସିଆର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଥିବାରୁ ସେ ଭାରତକୁ ଧନ୍ୟବାଦ ଜଣାଇ କହିଛନ୍ତି, ଆମେ ନିଶ୍ଚିତ ଯେ ଏହି ସହଯୋଗ ବିଶ୍ୱରେ ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗ ପାଇଁ ଲାଭଦାୟକ ହେବ। ବାଣିଜ୍ୟ, ନିବେଶ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ଶକ୍ତି ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଚାଲିଥିବା ଆଲୋଚନା ସହଯୋଗକୁ ସୁଦୃଢ଼ କରିବ ବୋଲି ପ୍ରବୋ ଆଲୋକପାତ କରିଛନ୍ତି।
ଉଭୟ ନେତା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ନିରାପତ୍ତା ଏବଂ ସମୃଦ୍ଧି ପାଇଁ ସେମାନଙ୍କର ମିଳିତ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଦୀର୍ଘମିଆଦୀ ରଣନୈତିକ ଭାଗିଦାରୀକୁ ଗଭୀର କରିବା ପାଇଁ ସେମାନଙ୍କର ସଂକଳ୍ପକୁ ଦୋହରାଇଛନ୍ତି ।