ରାଜ୍ୟରେ ବଢ଼ିବ ବ୍ଲକ ସଂଖ୍ୟା, ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶାରେ ଥିବା ୩୧୪ଟି ବ୍ଲକକୁ ବିଭାଜିତ କରି ଅଧିକ ବ୍ଲକ୍ ସୃଷ୍ଟି କରିପାରନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏ ନେଇ ପଞ୍ଚାୟତିରାଜ ବିଭାଗ ସହ ଆଲୋଚନା କରିଛନ୍ତି।
ମନ୍ତ୍ରୀ କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବରେ ଭାବୁଛି ଯେ ଓଡ଼ିଶାରେ ଅଧିକ ବ୍ଲକ୍ ହେବା ଉଚିତ। ଏ ନେଇ ପଞ୍ଚାୟତିରାଜ ବିଭାଗ ସହ ଦୁଇ ଥର ଆଲୋଚନା ହୋଇଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ନୂଆ ବ୍ଲକ୍ ଗଠନ ପାଇଁ କମିଶନ ଗଠନକୁ ମନ୍ତ୍ରୀ ସମର୍ଥନ କରିଛନ୍ତି। ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ଏବେ ଥିବା ବ୍ଲକ ଗୁଡ଼ିକର ବିଭାଜନ କରିବେ ।
୧୯୫୮ ମସିହାରେ ରାଜ୍ୟରେ ୧୨୪ଟି ବ୍ଲକ ଥିଲା । ୧୯୬୧ରେ ଏହି ସଂଖ୍ୟା ୨୧୪କୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଓଡ଼ିଶାରେ ୩୧୪ଟି ବ୍ଲକ ରହିଛି। ଶେଷ ଥର ପାଇଁ ସରକାର ୧୯୮୪ମସିହାରେ ରାଜ୍ୟରେ ୧୦ଟି ନୂଆ ବ୍ଲକ ସୃଷ୍ଟି କରିଥିଲେ। ତଥ୍ୟ ଅନୁଯାୟୀ, ରାଜ୍ୟର କେତେକ ବ୍ଲକରେ ପ୍ରାୟ ୩୫ରୁ ୪୦ଟି ଗ୍ରାମ ପଞ୍ଚାୟତ ଥିବା ବେଳେ କେତେକ ବ୍ଲକରେ ମାତ୍ର ୧୫ରୁ ୨୦ଟି ଗ୍ରାମପଞ୍ଚାୟତ ରହିଛି।
ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅଧୀନରେ ୪୩ଟି ଗ୍ରାମ ପଞ୍ଚାୟତ ଥିବା ବେଳେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ, କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଓ ଦଶମନ୍ତପୁର ଏବଂ ଗଜପତି ଜିଲ୍ଲାର ମୋହନା ବ୍ଲକରେ ୩୯ଟି ଲେଖାଏଁ ଗ୍ରାମ ପଞ୍ଚାୟତ ରହିଛି।