ବିଧାୟକ ପାଇବେ ୨ ଲକ୍ଷ ୭୫ ହଜାର ଟଙ୍କା ଦରମା !
ଏଣିକି ବିଧାୟକମାନେ ଦରମା ପାଇବେ ୨ ଲକ୍ଷ ୭୫ ହଜାର ଟଙ୍କା । ତେବେ ବଜାରରେ ଦରଦାମ ବଢୁଥିବା ନେଇ ବିଧାୟକଙ୍କ ଚଳଣିରେ ଅସୁବିଧା ହେଇଥିବା ନେଇ ଦାବି କରାଯିବା ପରେ ଏହି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି । ସବୁ ଦଳ ଦରମା ବୃଦ୍ଧି ନେଇ ଦାବି କରିବାରୁ ପରିଶେଷରେ ବାଚସ୍ପତି ମଧ୍ୟ ହସ୍ତକ୍ଷେପ କଲେ । ତୁରନ୍ତ କମିଟି ଗଠନ ହୋଇଗଲା । ଚଟାପଟ କମିଟିର ବୈଠକ ବସିଲା । ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ହେଲା, ଦରମା ଓ ଭତ୍ତା ମିଶି ମାସିକ ୩ ଲକ୍ଷ ୫ ହଜାର ମିଳୁ । ରାଜ୍ୟ କ୍ୟାବିନେଟ୍ ଏ ପ୍ରସ୍ତାବରେ ମୋହର ମାରିଥିଲା ବେଳେ ଏ ସଂକ୍ରାନ୍ତରେ ସଂଶୋଧନ ବିଲ୍ ମଧ୍ୟ ପ୍ରସ୍ତୁତ ସରିଛି ।ବିଧାନସଭାର ଗତ ଅଧିବେଶନରେ ସରକାର ଏ ବିଲ୍ ଆଗତ କରିବାକୁ ଚାହିଁଥିଲେ । ମାତ୍ର ଗୃହ ଆଗୁଆ ମୁଲତବି ହୋଇଯିବାରୁ ବିଲ୍ ଆଗତ ହୋଇପାରିନି । ମାତ୍ର ସବୁ ଦଳର ବିଧାୟକମାନେ ଦରମା ବୃଦ୍ଧି ପାଇଁ ସହମତି ପ୍ରକାଶ କରିଛନ୍ତି । ଆସନ୍ତା ବଜେଟ୍ ଅଧିବେଶନରେ ସରକାର ଏ ସଂଶୋଧନ ବିଲ୍ ପାରିତ କରିବେ ବୋଲି ସୂଚନା ମିଳିଛି । ମାତ୍ର ବିଧାୟକମାନଙ୍କ ଦରମା ବଢ଼ାଇବାକୁ ସରକାର ଏତେ ତତ୍ପର ହୋଇପଡ଼ିଲେ ଯେ, ବିଧାନସଭାରେ ଆଲୋଚନାର ସପ୍ତାହକ ମଧ୍ୟରେ କ୍ୟାବିନେଟ୍ ଅନୁମୋଦନ ସହ ସଂଶୋଧିତ ବିଲ୍ ତିଆରି ହୋଇଗଲା । ୩ ତାରିଖରେ ବିଧାନସଭାରେ ଏ ସଂପର୍କରେ ଚର୍ଚ୍ଚା ହୋଇଥିଲା । ସଦସ୍ୟମାନେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ ଯେ, ସମୟ ଅନୁସାରେ ବଜାର ଦରଦାମ ବଢ଼ି ଚାଲିଛି । ସ୍ୱାସ୍ଥ୍ୟ ଖର୍ଚ୍ଚ ଏବେ ବଢ଼ି ଚାଲିଛି । ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି କରାଯାଉ । ବିଧାୟକମାନଙ୍କର ଦରମା ମଧ୍ୟ ବଢ଼ୁ । ବିଧାୟକମାନଙ୍କ ଦରମା କ୍ଷେତ୍ରରେ ଓଡ଼ିଶା ଦେଶରେ ୨୭ ନମ୍ବର ସ୍ଥାନରେ ଅଛି । ଏଥିପାଇଁ ପୂର୍ବରୁ ଏକ କମିଟି ଗଠନ କରାଯାଇଥିଲା । ଏ କମିଟି ବିଧାୟକମାନଙ୍କ ଦରମା ଅଢ଼େଇ ଲକ୍ଷ ଏବଂ ପୂର୍ବତନ ବିଧାୟକ ମାନଙ୍କ ପେନସନ ୭୦ ହଜାର କରିବାକୁ ପୂର୍ବରୁ ସୁପାରିସ କରିଛି । ଏହାକୁ ଲାଗୁ କରାଯାଉ । ବିଧାୟକଙ୍କ ହାତପାଣ୍ଠି ମଧ୍ୟ ୫ କୋଟିକୁ ବୃଦ୍ଧି କରିବାକୁ ସଦସ୍ୟମାନେ ଦଳମତ ନିର୍ବିଶେଷରେ ଦାବି କରିଥିଲେ । ବାଚସ୍ପତି ବିଧାୟକମାନଙ୍କ ଉଦ୍ବେଗକୁ ଦେଖି ବିଧାୟକ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କଲେ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ତାରା ବାହିନୀପତି, ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେନ, ନିହାର ମହାନନ୍ଦ, ପୂର୍ଣ୍ଣ ସେଠୀ ଆଦି ସଦସ୍ୟ ରହିଲେ । କମିଟିର ସୁପାରିଶକୁ ଆଧାର କରି କ୍ୟାବିନେଟ୍ ମୋହର ମାରିଲା । ରକେଟ୍ ଗତିରେ ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ(ସଂଶୋଧିତ) ବିଲ-୨୦୨୪ ସହ ମନ୍ତ୍ରୀ, ଉପବାଚସ୍ପତି ଓ ବାଚସ୍ପତିଙ୍କ ଦରମା ଓ ଭତ୍ତା(ସଂଶୋଧିତ) ବିଲ୍୨୦୨୪ ପ୍ରସ୍ତୁତ ହୋଇଗଲା । ସରକାର ଆଗକୁ ଏ ବିଲ୍ ପାରିତ କରି ବିଧାୟକଙ୍କୁ ପ୍ରାୟ ୩ ଗୁଣା ଦରମା ଓ ଭତ୍ତା ଦେବାକୁ ସ୍ଥିର କରିଛନ୍ତି । ସୂଚନାଯୋଗ୍ୟ, ଓଡ଼ିଶାରେ ୨୦୦୩ରେ ବିଧାୟକମାନଙ୍କ ଦରମା ଓ ଭତ୍ତା ୨୧,୯୫୦ ଟଙ୍କାକୁ ବଢ଼ିଥିଲା । ୨୦୧୧ରେ ଏହା ପୁଣି ୬୦ ହଜାର ଟଙ୍କାକୁ ଓ ୨୦୧୭ରେ ୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା । ସେହିପରି ବିଧାୟକମାନଙ୍କ ହାତପାଣ୍ଠି ମଧ୍ୟ ୧ କୋଟି ଟଙ୍କାରୁ ୩ କୋଟି ଟଙ୍କାକୁ ବଢ଼ି ସାରିଛି ।
