ମେଟ୍ରୋ ପ୍ରକଳ୍ପରେ ବଡ ପରିବର୍ତ୍ତନ,ଟେଣ୍ଡର ବାତିଲ ଓ କ୍ଷତିପୂରଣ ଦାବି
ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ବଡ଼ ଧରଣର ପରିବର୍ତ୍ତନ। ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ (ଡିଏମ୍ଆର୍ସି) ଏହି ପ୍ରକଳ୍ପ ପାଇଁ ପୂର୍ବରୁ ଆହ୍ୱାନ କରାଯାଇଥିବା ଟେଣ୍ଡରଗୁଡ଼ିକୁ ବାତିଲ କରିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି, କାରଣ ମେଟ୍ରୋର ଡିଜାଇନ୍ ରେ ପରିବର୍ତ୍ତନ କରାଯାଉଛି। ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଏବେ ସ୍ଥଗିତ ରହିଛି, ଏବଂ ନୂଆ ଡିଜାଇନ୍ ଓ ଯୋଜନା ପାଇଁ ନୂଆ ଡିପିଆର୍ ପ୍ରସ୍ତୁତ ହେବାକୁ ଯାଉଛି।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୬ କିମି ରାସ୍ତାରେ ମେଟ୍ରୋ ଗଡ଼ିବାର ଯୋଜନା ଥିଲା। ଏଥିପାଇଁ ବିଭିନ୍ନ ନିର୍ମାଣକାରୀ ସଂସ୍ଥାଙ୍କୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟ ମଧ୍ୟ ବଣ୍ଟନ କରାଯାଇଥିଲା। ମୃତ୍ତିକା ପରୀକ୍ଷା , ଷ୍ଟେସନ୍ ଓ ପିଲାର୍ ନିର୍ମାଣର ପ୍ରସ୍ତୁତି ମଧ୍ୟ ସରିଥିଲା। କିନ୍ତୁ ସରକାର ମେଟ୍ରୋର ଡିଜାଇନ୍ ଓ ରୁଟକୁ ବୃହତ୍ତର କରିବା ପାଇଁ ଯୋଜନା କରୁଥିବାରୁ ପୂର୍ବର ଟେଣ୍ଡରଗୁଡ଼ିକୁ ବାତିଲ କରାଯାଇଛି।
ଏହା ମଧ୍ୟରେ, ନିର୍ମାଣକାରୀ ସଂସ୍ଥାମାନେ ଟେଣ୍ଡର ବାତିଲ ହେବା ଯୋଗୁଁ ହୋଇଥିବା ଆର୍ଥିକ କ୍ଷତିର କ୍ଷତିପୂରଣ ଦାବି କରିଛନ୍ତି। ସୈଗଲ ଇଣ୍ଡିଆ ଲିମିଟେଡ୍ ପରି ସଂସ୍ଥାଗୁଡ଼ିକ କହିଛନ୍ତି ଯେ, ଟେଣ୍ଡର ଦେଇଥିବା ସଂସ୍ଥା କାର୍ଯ୍ୟ ବନ୍ଦ କରିଥିବାରୁ ଆମର ଯେଉଁ କ୍ଷତି ହୋଇଛି ତାହାର କ୍ଷତିପୂରଣ ନ ମିଳିଲେ ସେମାନେ କୋର୍ଟର ଦ୍ୱାରସ୍ଥ ହେବେ |
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, “ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ଖୁବ୍ ଶୀଘ୍ର ନୂଆ ଡିପିଆର୍ ପ୍ରସ୍ତୁତ ହେବ। ଏହା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ନିର୍ମାଣ ହେବ।” ସୂଚନା ଅନୁଯାୟୀ, ମେଟ୍ରୋ ପ୍ରକଳ୍ପକୁ ୫ଟି ପର୍ଯ୍ୟାୟରେ ନିର୍ମାଣ କରାଯିବ। ୨୦୩୬ ସୁଦ୍ଧା ଭୁବନେଶ୍ୱରରୁ କଟକ, ପାହାଳରୁ ଏମ୍ସ ଓ ରସୁଲଗଡ଼ରୁ ଉତ୍ତରା ଛକ ପର୍ଯ୍ୟନ୍ତ ମେଟ୍ରୋ ସେବା ଆରମ୍ଭ ହେବ। ୪ର୍ଥ ଓ ୫ମ ପର୍ଯ୍ୟାୟରେ ଉତ୍ତରାରୁ ପୁରୀ ଓ ଏମ୍ସରୁ ଖୋର୍ଦ୍ଧା ପର୍ଯ୍ୟନ୍ତ କାର୍ଯ୍ୟ ୨୦୪୭ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି।
