ଦକ୍ଷିଣ ଓଡ଼ିଶାରେ ବିଜେଡିକୁ ବଡ଼ ଝଟକା: ପ୍ରତିଷ୍ଠାତା ସଦସ୍ୟ ଏନ ଭାସ୍କର ରାଓ ଓ ଲାଲ ବିହାରୀ ହିମାରିକା ଛାଡ଼ିଲେ ଦଳ

ରାୟଗଡ଼ା: ଦକ୍ଷିଣ ଓଡ଼ିଶାରେ ବିଜୁ ଜନତା ଦଳ ପାଇଁ ଏକ ବଡ଼ ଝଟକା ଲାଗିଛି। ଦଳର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଏବଂ ରାୟଗଡ଼ାର ତିନି ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମାରିକା ବିଜେଡି ଛାଡ଼ିଛନ୍ତି। ଏହା ସହିତ ଏନ ଭାସ୍କର ରାଓଙ୍କ ସମର୍ଥକମାନେ ଦଳ ବିରୋଧରେ ଅସନ୍ତୋଷ ପ୍ରକାଶ କରି ବିନା ବ୍ୟାନରରେ ଏକ ସଭା କରିଛନ୍ତି।

ଏନ ଭାସ୍କର ରାଓ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ତଥା ଦକ୍ଷିଣ ଓଡ଼ିଶାରେ ଦଳର ଜଣେ ପ୍ରମୁଖ ଚେହେରା ଥିଲେ। ସେ ଯୋଜନା ବୋର୍ଡର ଅଧ୍ୟକ୍ଷ ମଧ୍ୟ ଥିଲେ। ଅନ୍ୟପଟେ, ଲାଲ ବିହାରୀ ହିମାରିକା ନବୀନ ସରକାରରେ ମନ୍ତ୍ରୀ ଏବଂ ଉପ-ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ। କିନ୍ତୁ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଭାବେ ଜଗନ୍ନାଥ ଶାରକାଙ୍କ ନାମ ଘୋଷଣା ପରେ ଏନ ଭାସ୍କର ରାଓ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଏନ ଭାସ୍କର ରାଓ ନିଜ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରି କହିଛନ୍ତି, “ମୁଁ ବିଜୁ ପଟ୍ଟନାୟକଙ୍କଠାରୁ ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଥିଲି। କିନ୍ତୁ ବର୍ତ୍ତମାନ ବିଜେଡିରେ ରହି କୌଣସି ଲାଭ ନାହିଁ।” ସେ ଆହୁରି କହିଛନ୍ତି, “ମୁଁ କୌଣସି ଅନ୍ୟ ଦଳକୁ ଯିବି ନାହିଁ। ଆଗାମୀ ପଞ୍ଚାୟତ ନିର୍ବାଚନରେ ଏକା ଲଢ଼ି ଶକ୍ତି ପ୍ରଦର୍ଶନ କରିବି। ବିଜେଡିରେ ଆଉ କାର୍ଯ୍ୟ କରିବି ନାହିଁ ଏବଂ ଦଳର କାଉନସିଲ ସଦସ୍ୟତାରୁ ଇସ୍ତଫା ଦେଉଛି। ଏଣିକି ମୁଁ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବି।”

Leave a Reply

Your email address will not be published. Required fields are marked *