ଟୋଲଗେଟ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର |
ବୈଶିଙ୍ଗା: ଟୋଲଗେଟ ଉପରକୁ ମାଡ଼ିଗଲା କାର | କାର ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର ଆଉ ଦେଖୁଦେଖୁ ଟୋଲଗେଟ ଉପରକୁ କାର ଚଢ଼ାଇଦେଲେ | ଏଭଳି ଏକ ଦୃଶ୍ୟ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲଗେଟରେ ଦେଖିବାକୁ ମିଳିଛି | ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା କ୍ରମେ ବାରିପଦା ଡାକ୍ତରଖାନାରେ ଚାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଡାକ୍ତର କହିଛନ୍ତି |
ସୂଚନା ମୁତାବକ ବାରିପଦା ଉପକଣ୍ଠ ଭଞ୍ଜପୁର ୱାଲିଗଞ୍ଜ ଅଞ୍ଚଳର ରାଜଦୀପ ପଟ୍ଟନାୟକ ଅଜୟ ନାଏକଙ୍କ ସହିତ ଓଡି -୧୧ଏମ -୬୭୧୬ନମ୍ବର ବିଶିଷ୍ଠ କାରରେ ଅତ୍ୟନ୍ତ ଦ୍ରୁତଗତିରେ ବାଲେଶ୍ୱରରୁ ବେତନଟୀ ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି | ଦୁର୍ଘଟଣାରେ ରାଜଦୀପ ପଟ୍ଟନାୟକ ଗୁରୁତର ଆହତ ହୋଇଥିବା ବେଳେ ଅଜୟ ନାଏକଙ୍କର ସାମାନ୍ୟ ଆଘାତ ଲାଗିଥିଲା। ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ରାଜଦୀପଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
—-
