ଲାଲକିଲ୍ଲାରେ ବଡ଼ ଚୋରୀ ଘଟଣା: ଜୈନ ସମାରୋହରୁ ୧ କୋଟି ଟଙ୍କାର ସୁନା କଳସ ଲୁଟ୍‌,ଅଭିଯୁକ୍ତ ଗିରଫ

ଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପରିସରରେ ଏକ ଚାଞ୍ଚଲ୍ୟକର ଚୋରୀ ଘଟଣା ସାମ୍ନାକୁ ଆସିଛି। ଜୈନ ସମ୍ପ୍ରଦାୟର ଏକ ଧାର୍ମିକ ସମାରୋହ ସମୟରେ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ହୀରା, ମାଣିକ୍ୟ ଓ ରତ୍ନପଥର ଖଚିତ ସୁନା କଳସ ଚୋରି ହୋଇଥିବା ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।

ମିଳିଥିବା ସୂଚନା ଅନୁସାରେ, ଲାଲକିଲ୍ଲା ନିକଟସ୍ଥ ୧୫ ଅଗଷ୍ଟ ପାର୍କରେ ଜୈନ ସମାଜର ଏକ ପୂଜା ଉତ୍ସବ ଚାଲିଥିବା ବେଳେ ଏହି ଚୋରୀ ଘଟିଛି। କଳସଟି ପ୍ରାୟ ୭୬୦ ଗ୍ରାମ ସୁନାରେ ତିଆରି ହୋଇଥିଲା ଏବଂ ଏଥିରେ ୧୫୦ ଗ୍ରାମ ହୀରା, ମାଣିକ୍ୟ ଓ ଅନ୍ୟାନ୍ୟ ମୂଲ୍ୟବାନ ରତ୍ନ ଖଚିତ ଥିଲା। ଚୋରଟି ଧାର୍ମିକ ବେଶରେ ଭିଡ଼ ମଧ୍ୟରେ ମିଶି ଅତି ଚତୁରତାର ସହ ଏହି କଳସ ଚୋରୀ କରି ଫେରାର ହୋଇଯାଇଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଦିଲ୍ଲୀ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ ଯାଞ୍ଚ କରି ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଛି ଏବଂ ତାଙ୍କୁ ଗିରଫ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ କିଛି ଦିନ ଧରି ଉକ୍ତ ସ୍ଥାନରେ ଆସୁଥିଲେ ଏବଂ ସୁଯୋଗର ଅପେକ୍ଷାରେ ଥିଲେ। ବର୍ତ୍ତମାନ ଅଭିଯୁକ୍ତକୁ ପଚରାଉଚରା କରାଯାଉଛି ଏବଂ ମାମଲାର ଗଭୀର ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *