ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଦୁର୍ଘଟଣା, ଖାଲକୁ ଖସିଲା ସେନା ଟ୍ରକ୍, ୫ ଯବାନ ସହିଦ; ଅନେକ ଆହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ବାଲନୋଇ ସେକ୍ଟରରେ ମଙ୍ଗଳବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସେନାର ଏକ ଗାଡ଼ି ୩୦୦ ଫୁଟ ଗଭୀର ଖାଲକୁ ଖସି ପଡ଼ିଥିଲା। ହ୍ଵାଇଟ୍ ନାଇଟ୍ କର୍ପସ୍ ଏକ୍ସରେ ପୋଷ୍ଟ କରିଛି ଯେ ପୁଞ୍ଚ ସେକ୍ଟରରେ ଅପରେସନ୍ ଡ୍ୟୁଟି ସମୟରେ ସେନାର ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ଯବାନଙ୍କ ମୃତ୍ୟୁକୁ ନେଇ ହ୍ୱାଇଟ୍ ନାଇଟ୍ କର୍ପସ୍ ଗଭୀର ଶୋକ ପ୍ରକାଶ କରିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତ କର୍ମଚାରୀଙ୍କ ଚିକିତ୍ସା ଚାଲିଛି।

ମଙ୍ଗଳବାର ରାତି ପ୍ରାୟ ୧୭ଟା ୪୦ ମିନିଟ୍ ରେ ୧୧ଟି ମରାଠା ଲାଇଟ୍ ଇନ୍ଫେଣ୍ଟରିର ଏକ ସେନା ଗାଡ଼ି ନୀଳମ ମୁଖ୍ୟାଳୟରୁ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ବାଲନୋଇ ଘୋରା ପୋଷ୍ଟ ଅଭିମୁଖେ ଯାଉଥିଲା। ଗାଡିଟି ପ୍ରାୟ ୧୫୦ ଫୁଟ ଗଭୀର ଖାଲକୁ ଖସି ପଡ଼ିବାରୁ ଡ୍ରାଇଭରଙ୍କ ସମେତ ୧୦ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ୧୧ଟି ମରାଠା ଲାଇଟ୍ ଇନ୍ଫେଣ୍ଟରିର କ୍ୱିକ୍ ରିଆକ୍ସନ ଟିମ୍ (କ୍ୟୁଆର୍ଟି) ଏବଂ ମନକୋଟରୁ ଏକ ପୁଲିସ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ଏହି ଘଟଣା ପଛରେ କୌଣସି ଆତଙ୍କୀ ସଂଗଠନର ଲିଙ୍କ ନଥିବା ସେନା କହିଛି। ଜମ୍ମୁରେ ସେନାର ଜଣେ ମୁଖପାତ୍ରଙ୍କ କହିବାନୁଯାୟୀ, ଅନ୍ୟ ୬ଟି ସେନା ଗାଡ଼ି ସହ ଏକ କନଫଲରେ ଯାଉଥିବା ୨.୫ ଟନ୍ ଓଜନର ଆର୍ମି ଗାଡ଼ି ହଠାତ୍ ଏକ ଗଭୀର ଖାଲକୁ ଖସି ପଡ଼ିଥିଲା। ପାକିସ୍ତାନ ସହ ଲାଗିଥିବା ନିୟନ୍ତ୍ରଣ ରେଖା ନିକଟରେ ଏହି ଘଟଣା ଘଟିଛି। ଏହି ଘଟଣା ପରେ ସମସ୍ତ ଆହତଙ୍କୁ ତୁରନ୍ତ ପୁଞ୍ଚର ଫିଲ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଘଟଣାର କାରଣ ଜଣାପଡ଼ିଥିବା ବେଳେ ପ୍ରାଥମିକ ତଦନ୍ତରୁ ଗାଡ଼ି ଚାଳକ ନିୟନ୍ତ୍ରଣ ହରାଇଥାଇପାରନ୍ତି ବୋଲି ସେନା କହିଛି। ସେନା କହିଛି ଯେ ଦୁର୍ଘଟଣା ଘଟିଥିବା ସ୍ଥାନଠାରୁ ସେନା ପୋଷ୍ଟ ମାତ୍ର ୧୩୦ ମିଟର ଦୂରରେ ଥିବା ବେଳେ ଗାଡି ପଛରେ ଥିବା ଏକ ଗାଡି ମାତ୍ର ୪୦ ମିଟର ଦୂରରେ ଥିଲା ।

Leave a Reply

Your email address will not be published. Required fields are marked *