ଅନଲାଇନରେ ମହାପ୍ରସାଦ ବିକ୍ରିକୁ ନେଇ ସୃଷ୍ଟିହେଲା ବିବାଦ!

ପୁରୀ :ଶ୍ରୀମନ୍ଦିରର ପବିତ୍ର ‘ଅବଢ଼ା’ ମହାପ୍ରସାଦର ଅନଲାଇନ ବିକ୍ରି ବିଜ୍ଞାପନକୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି। ବାରମ୍ବାର ଏଭଳି କାର୍ଯ୍ୟ ବିରୋଧରେ ଚେତାବନୀ ଦିଆଯାଇଥିଲେ ମଧ୍ୟ, କେତେକ ସଂସ୍ଥା ଏହାକୁ ଅଣଦେଖା କରୁଛନ୍ତି। ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମହାପ୍ରସାଦର ପବିତ୍ରତା ଅକ୍ଷୁଣ୍ଣ ରହିବା ଉପରେ ଗୁରୁତ୍ୱ ଦେଇ କହିଛନ୍ତି, ମନ୍ଦିର ପ୍ରଶାସନ ଓ ଓଡ଼ିଶା ସରକାର ଅନଲାଇନରେ ମହାପ୍ରସାଦ ବିକ୍ରିକୁ ସମର୍ଥନ କରୁନାହାନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ମହାପ୍ରସାଦକୁ ହୋଟେଲ ଖାଦ୍ୟ ଭଳି ଅନଲାଇନରେ ବିକ୍ରି କରାଯିବା ଉଚିତ୍ ନୁହେ। ତେଣୁ ଏଭଳି କାର୍ଯ୍ୟ ବନ୍ଦ କରିବାକୁ ସେ ନିବେଦନ କରିଛନ୍ତି।

ବ୍ରହ୍ମପୁରର ଏକ ଖାଦ୍ୟ ଯୋଗାଣ ଆପ୍ ‘ଇଜି ଏସେନ୍‌ସିଆଲ୍‌’ ଅନଲାଇନରେ ମହାପ୍ରସାଦ ଅର୍ଡର ନେଉଥିବା ଓ ସୋସିଆଲ ମିଡିଆରେ ଏହାର ବିଜ୍ଞାପନ କରୁଥିବା ଦୃଷ୍ଟିଗୋଚର ହୋଇଛି। ଏହି ସଂସ୍ଥା ମହାପ୍ରସାଦ ସହିତ ମାଛ, ମାଂସ ଭଳି ଆମିଷ ଖାଦ୍ୟ ମଧ୍ୟ ଯୋଗାଣ କରୁଥିବାରୁ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ସୋସିଆଲ ମିଡିଆରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ ହେବା ପରେ ଘଟଣା ପ୍ରକାଶ ପାଇଛି।

ଏହା ପୂର୍ବରୁ ୨୦୧୮ରେ ମଧ୍ୟ ଅନଲାଇନରେ ମହାପ୍ରସାଦ ବିକ୍ରି ଅଭିଯୋଗ ପରେ ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ କଟକଣା ଲଗାଇଥିଲା ଏବଂ ପୁଲିସକୁ କାର୍ଯ୍ୟାନୁଷ୍ଠାନ ପାଇଁ ଅବଗତ କରାଯାଇଥିଲା। କିନ୍ତୁ, ଏହାକୁ ସମ୍ପୂର୍ଣ୍ଣ ରୋକିବାରେ ପ୍ରଶାସନ ସଫଳ ହୋଇନାହିଁ।

ଅନ୍ୟପକ୍ଷେ, ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ କେତେକ ଯୁବକ ଅଣସେବାୟତ ଭାବେ ଭକ୍ତଙ୍କୁ ମହାପ୍ରସାଦ ଯୋଗାଇବା ନାଁରେ ଠକୁଥିବା ଅଭିଯୋଗ ଉଠିଛି। ଏମାନେ ଭକ୍ତଙ୍କଠାରୁ ଅବଢ଼ାର ଦାମର ଦୁଇଗୁଣ ନେଇ ଠକୁଛନ୍ତି, ଆଉ କେତେକ ଟଙ୍କା ନେଇ ମହାପ୍ରସାଦ ନ ଦେଇ ପଳାଉଛନ୍ତି। ଏଭଳି ଶତାଧିକ ଅଭିଯୋଗ ସାମ୍ନାକୁ ଆସିଛି। ଏହାକୁ ଗମ୍ଭୀରତାର ସହ ନେଇ ପୁରୀ ଏସପି ପିନାକ ମିଶ୍ର କହିଛନ୍ତି, ଏଭଳି ଅଭିଯୋଗକାରୀଙ୍କୁ ଚିହ୍ନଟ କରିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି ଏବଂ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅବଢ଼ାର ଦର ଧାର୍ଯ୍ୟ ନହେବା ଯୋଗୁଁ ଭକ୍ତମାନେ ଏହାର ପ୍ରକୃତ ମୂଲ୍ୟ ଜାଣିପାରୁନଥିବାରୁ ଠକାମିର ଶିକାର ହେଉଛନ୍ତି। ଏହି ସମସ୍ୟା ନିରାକରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କୁ କଡା ପଦକ୍ଷେପ ନେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *