ହୀରାକୁଦ ଜଳଭଣ୍ଡାରରୁ ୨୦ଟି ଗେଟ୍ ଖୋଲା: ମହାନଦୀରେ ବନ୍ୟା ଆଶଙ୍କା, ୧୦ ଜିଲ୍ଲାକୁ ସତର୍କତା
ଭୁବନେଶ୍ୱର: ଛତିଶଗଡ଼ ଏବଂ ମହାନଦୀର ଉପର ମୁଣ୍ଡରେ ଲଗାଣ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ନିରନ୍ତର ବୃଦ୍ଧି ପାଉଛି। ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ହୀରାକୁଦ ଜଳଭଣ୍ଡାରରୁ ଆଉ ୪ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ମୋଟ ୨୦ଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସିତ ହେଉଛି। ମହାନଦୀରେ ବନ୍ୟା ଆଶଙ୍କା ଦେଖାଦେଇଥିବାରୁ ରାଜ୍ୟର ୧୦ଟି ଜିଲ୍ଲାକୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଉପର ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ହୀରାକୁଦରେ ଜଳସ୍ତର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆବଶ୍ୟକ ପଡ଼ିଲେ ଅଧିକ ଗେଟ୍ ଖୋଲାଯାଇପାରେ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ମହାନଦୀ ତଟବର୍ତୀ ଅଞ୍ଚଳରେ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏହି ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିମ୍ନାଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ଜରୁରୀକାଳୀନ ସେବା ପ୍ରସ୍ତୁତ ରଖିବା ଏବଂ ବନ୍ୟା ସମ୍ପର୍କିତ ସୂଚନା ଜନସାଧାରଣଙ୍କୁ ପହଞ୍ଚାଇବାକୁ କୁହାଯାଇଛି।
ଏହାସହ, ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ଜଳ ମାତ୍ରା ଉପରେ କଡ଼ା ନଜର ରଖାଯାଉଛି। ପାଣିପାଗ ବିଭାଗ ଏବଂ ଜଳସଂପଦ ବିଭାଗ ମିଳିତ ଭାବେ ପରିସ୍ଥିତିର ନିରୀକ୍ଷଣ କରୁଛନ୍ତି। ଜନସାଧାରଣଙ୍କୁ ଆତଙ୍କିତ ନହେବାକୁ ଏବଂ ସରକାରୀ ନିର୍ଦ୍ଦେଶାବଳୀ ମାନିବାକୁ ଅନୁରୋଧ କରାଯାଇଛି।
