ହ୍ୱାଟ୍ସଆପ୍ ଯୁଗରେ ମଧ୍ୟ ଦେଶରେ ଏସଏମଏସ ପଠାଇବାରେ ଓଡିଶା ଚତୁର୍ଥ ସ୍ଥାନରେ
ଭୁବନେଶ୍ୱର: ହ୍ୱାଟ୍ସଆପ୍ ତଥା ଅନ୍ୟ ବାର୍ତ୍ତା ପଠାଇବା ଆପ୍ ଥାଇ ସୁଦ୍ଧା ଓଡ଼ିଶାରେ ଏସ୍ଏମ୍ଏସ୍ ଏବେ ବି ବେଶ୍ ଜନପ୍ରିୟ। ରାଜ୍ୟର ମୋବାଇଲ ଫୋନ୍ ବ୍ୟବହାରକାରୀମାନେ ମାସକୁ ପାଖାପାଖି ୫୬ କୋଟି ଏସ୍ଏମ୍ଏସ୍ ପଠାଉଛନ୍ତି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟରୁ ଏହା ଜଣାଯାଇଛି।
୨୦୨୫ ମାର୍ଚ୍ଚ ଶେଷରେ ପ୍ରକାଶିତ ଟ୍ରାଇର ରିପୋର୍ଟ ଅନୁସାରେ, ଓଡ଼ିଶାରେ ଜଣେ ମୋବାଇଲ ବ୍ୟବହାରକାରୀ ମାସକୁ ପ୍ରାୟ ୧୬ଟି ଏସ୍ଏମ୍ଏସ୍ ପଠାଉଛନ୍ତି। ଏହି ହିସାବରେ ଓଡ଼ିଶା ଦେଶର ଟେଲିକମ୍ ସର୍କଲଗୁଡ଼ିକ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି।
ଦେଶରେ ସବୁଠୁ ଅଧିକ ଏସ୍ଏମ୍ଏସ୍ ଆସାମରେ ପଠାଯାଉଛି, ଯେଉଁଠି ଜଣେ ବ୍ୟବହାରକାରୀ ମାସକୁ ୨୩ଟି ଏସ୍ଏମ୍ଏସ୍ ପଠାଉଛନ୍ତି। ଏହା ପରେ ଉତ୍ତର-ପୂର୍ବ ସର୍କଲ (୨୨ଏସ୍ଏମ୍ଏସ୍) ଓ ଜମ୍ମୁ-କାଶ୍ମୀର (୨୦ ଏସ୍ଏମ୍ଏସ୍) ପଠାଉଥିବାର ସୂଚନା ଅଛି।
ଓଡ଼ିଶାରେ ମାର୍ଚ୍ଚ ମାସରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ଥିଲା ପ୍ରାୟ ସାଢ଼େ ୩ କୋଟି। ଏହି ଗ୍ରାହକମାନେ ମାସକୁ ୫୬ କୋଟି ଏସ୍ଏମ୍ଏସ୍ ପଠାଉଛନ୍ତି।ଅନ୍ୟପଟେ, ଦେଶରେ ସବୁଠୁ କମ୍ ଏସ୍ଏମ୍ଏସ୍ କେରଳରେ ପଠାଯାଉଛି, ଯେଉଁଠି ଜଣେ ବ୍ୟବହାରକାରୀ ମାସକୁ ମାତ୍ର ୫ଟି ଏସ୍ଏମ୍ଏସ୍ ପଠାଉଛନ୍ତି। ଏହା ପରେ ତାମିଲନାଡ଼ୁ, ହରିୟାଣା, ପଞ୍ଜାବ ଓ ମୁମ୍ବାଇରେ ଜଣେ ବ୍ୟବହାରକାରୀ ମାସକୁ ୭ଟି ଏସ୍ଏମ୍ଏସ୍ ପଠାଉଛନ୍ତି। ହିମାଚଳ ପ୍ରଦେଶ, କୋଲକାତା ଓ ଦିଲ୍ଲୀରେ ଏହି ସଂଖ୍ୟା ୮ ରହିଛି।
ଦେଶରେ ଜାତୀୟ ସ୍ତରରେ ଜଣେ ବ୍ୟବହାରକାରୀ ମାସକୁ ହାରାହାରି ୧୦ଟି ଏସ୍ଏମ୍ଏସ୍ ପଠାଉଛନ୍ତି। କିନ୍ତୁ ଓଡ଼ିଶାରେ ଏହା ଅଧିକ କାରଣ ଏଠାରେ 2ଜି ବ୍ୟବହାରକାରୀ ଗ୍ରାହକଙ୍କ ସଂଖ୍ୟା ବେଶି। 4ଜି ଓ 5ଜି ଗ୍ରାହକମାନେ କମ୍ବୋ ଅଫରରେ ମାଗଣା ଏସ୍ଏମ୍ଏସ୍ ସେବା ପାଉଛନ୍ତି, କିନ୍ତୁ 2ଜି ଗ୍ରାହକମାନଙ୍କୁ ଏହା ପାଇଁ ଅଲଗା ଟଙ୍କା ଦେବାକୁ ପଡ଼ୁଛି |
