ଏମ୍ସ ଓ ଉତ୍କଳ ହସ୍ପିଟାଲର ସଫଳ ପ୍ରୟାସ: କୁନ୍ତଳାଙ୍କ ଅଙ୍ଗଦାନରେ ବଞ୍ଚିଲା ଜୀବନ
ନୟାଗଡ଼: ଅଙ୍ଗଦାନ ହେଉଛି ଶ୍ରେଷ୍ଠ ଦାନ, ଏହାକୁ ପ୍ରମାଣ କରି ଦେଖାଇଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୌରାଙ୍ଗପୁର ପଞ୍ଚାୟତର ଗଉଡ଼ିଆପଡ଼ା ଗାଁର ବାସିନ୍ଦା କୁନ୍ତଳା ନନ୍ଦ। ତାଙ୍କର ନିଃସ୍ୱାର୍ଥପର ମନୋଭାବ ଓ ପରିବାରର ଉଦାର ନିଷ୍ପତ୍ତି ଯୋଗୁଁ ତିନି ଜଣ ବ୍ୟକ୍ତିଙ୍କୁ ନୂଆ ଜୀବନ ମିଳିପାରିଛି। କୁନ୍ତଳାଙ୍କ ଅଙ୍ଗଦାନ ମାଧ୍ୟମରେ ତାଙ୍କ ଅସ୍ତିତ୍ୱ ଏବେ ଅନ୍ୟମାନଙ୍କ ଜୀବନରେ ଜୀବନ୍ତ ରହିଛି।
ସୂଚନା ଅନୁସାରେ, ୪୯ ବର୍ଷୀୟା କୁନ୍ତଳା ନନ୍ଦଙ୍କୁ ଗତ ମାସ ୨୯ ତାରିଖରେ ଏକ ବିଷଧର ସାପ କାମୁଡ଼ିଥିଲା। ତୁରନ୍ତ ତାଙ୍କୁ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ।
ଏହି ଦୁଃଖଦ ମୁହୂର୍ତ୍ତରେ କୁନ୍ତଳାଙ୍କ ପରିବାର ଏକ ଐତିହାସିକ ନିଷ୍ପତ୍ତି ନେଇ ତାଙ୍କ ଅଙ୍ଗଦାନ ପାଇଁ ସମ୍ମତି ପ୍ରଦାନ କରିଥିଲେ। ବୁଧବାର ଏମ୍ସରେ କୁନ୍ତଳାଙ୍କ କିଡ଼ନୀ ଏବଂ ଯକୃତ ବାହାର କରାଯାଇ ତିନି ଜଣ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରିଥିଲେ। ଏହି ଅଙ୍ଗଦାନ ତିନି ଜଣଙ୍କୁ ନୂଆ ଜୀବନ ଦେଇଛି।
କୁନ୍ତଳାଙ୍କ ଅନ୍ତିମ ସଂସ୍କାର ତାଙ୍କ ଜନ୍ମମାଟି ଗଉଡ଼ିଆପଡ଼ା ଗାଁରେ ପୂର୍ଣ୍ଣ ରାଜ୍ୟ ସମ୍ମାନ ସହିତ କରାଯିବ ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ଅଙ୍ଗଦାନ ପ୍ରକ୍ରିୟା ଉତ୍କଳ ହସ୍ପିଟାଲ ଏବଂ ଏମ୍ସର ବିଶେଷଜ୍ଞ ଡାକ୍ତରୀ ଟିମ୍ଦ୍ୱାରା ସଫଳତାର ସହ ସମ୍ପନ୍ନ ହୋଇଛି। ଉତ୍କଳ ହସ୍ପିଟାଲରୁ ଡ଼ଃ ନେଗୀ, ଆୟୁଷ ଏବଂ ତାଙ୍କ ଟିମ୍, ଏମ୍ସରୁ ନେଫ୍ରୋଲୋଜିଷ୍ଟ ଡ଼ଃ ସନ୍ଦୀପ, ଡ଼ଃ ପ୍ରୀତି, ଗ୍ୟାସ୍ଟ୍ରୋ ସର୍ଜରୀ ଡ଼ଃ ବ୍ରହ୍ମ ଦତ୍ତ, ୟୁରୋଲୋଜିଷ୍ଟ ଡ଼ଃ ପ୍ରଶାନ୍ତ, ଡ଼ଃ ସମ୍ବିତ, ଡ଼ଃ ବିବେକ, ଡ଼ଃ ମନୋଜ, ଡ଼ଃ ସ୍ୱର୍ଣ୍ଣେନ୍ଦୁ, ଡ଼ଃ କାଳନ୍ଦୀ, ଟ୍ରାନ୍ସପ୍ଲାଣ୍ଟ କୋଅର୍ଡିନେଟର ଜିନତ ଏବଂ ଦୀପକ ଏବଂ ସୋଟୋ (SOTTO) ଟିମ୍ରୁ ସୁମନ ଓ ସୁବ୍ରତଙ୍କ ତତ୍ତ୍ୱାବଧାନରେ ଏହି ପ୍ରତିରୋପଣ କାର୍ଯ୍ୟ ସମ୍ପନ୍ନ ହୋଇଛି।
