କେମିତି କାର୍ଯ୍ୟ କରିବ ‘ଶକ୍ତିଶ୍ରୀ ଆପ’, ଆପଣ ଜାଣିଛନ୍ତି କି?
ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ହେଉ କି ବଳଙ୍ଗାରେ ନାବାଳିକାଙ୍କୁ ଦୃବୁର୍ତ୍ତ ଜାଳିଦେବା ହେଉ ଏବେ ବିରୋଧୀଙ୍କ ଟାର୍ଗେଟକୁ ଆସିଯାଇଛନ୍ତି ରାଜ୍ୟ ସରକାର | ରାଜ୍ୟରେ ନାରୀଙ୍କ ପ୍ରତି ବଢୁଥିବା ହିଂସାକୁ ଦୃଷ୍ଟିରେ ରଖି ମୋହନ ସରକାର ଏବେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି | ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ରହିଛି ସରକାରଙ୍କର ଶକ୍ତିଶ୍ରୀ ଯୋଜନା | ତେବେ ଶକ୍ତିଶ୍ରୀ ଯୋଜନାକୁ ବଳ ଦେବା ପାଇଁ ସରକାର ଶକ୍ତିଶ୍ରୀ ମୋବାଇଲ ଆପ୍ ନାମରେ ଏକ ଆପ ଲଞ୍ଚ କରିବାକୁ ଯାଉଛନ୍ତି | ଏହି ଖବରରେ ଆପଣ ଜାଣନ୍ତୁ ବାସ୍ତବରେ ଏହି ଆପ କିଭଳି କାର୍ଯ୍ୟ କରିବ |
ବିଶେଷକରି କଲେଜ ଓ ବିଶ୍ୱବିଦ୍ୟାଳୟ ପରି ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ରାଜ୍ୟ ସରକାର ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବିଗତ ଦିନମାନଙ୍କରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନଙ୍କ ପ୍ରତି ଯେଉଁଭଳି ଅପରାଧ ଘଟୁଛି, ସେହିଭଳି ଘଟଣାକୁ ରୋକିବା ପାଇଁ, ଛାତ୍ରୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ଯୋଜନା କରାଯାଇଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ ଏହା କାର୍ଯ୍ୟକାରୀ କରାଯିବ।
“ଶକ୍ତିଶ୍ରୀ ଆପ୍” ନାମରେ ଏକ ନୂତନ ମୋବାଇଲ ଆପ୍ କାର୍ଯ୍ୟକାରୀ ହେବ। କ୍ୟାମ୍ପସରେ ଛାତ୍ରୀମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଏହା ସହାୟକ ହେବ। ଛାତ୍ରୀମାନଙ୍କର ସଚେତନତା ଓ ଅବଗତି ନିମନ୍ତେ ଶକ୍ତିଶ୍ରୀ ମୋବାଇଲ ଆପ୍ ମାଧ୍ୟମରେ କଲେଜମାନଙ୍କରେ ଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି (Internal Complaint Committee), ଏହାର ନିୟମାବଳୀ ଏବଂ କାର୍ଯ୍ୟ ସମ୍ବନ୍ଧରେ ସମସ୍ତ ସୂଚନା ପ୍ରଦାନ କରାଯିବ। ଏଥିସହ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କର ଫୋନ୍ ନମ୍ବର ମଧ୍ୟ ପ୍ରଦାନ କରାଯିବ। ଯଦି କୌଣସି ଛାତ୍ରୀ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି, ତେବେ ସେ ନିଜର ପରିଚୟକୁ ଗୋପନୀୟ ରଖି ନିଜର ଅଭିଯୋଗକୁ Text, Audio ବା Video Message ମାଧ୍ୟମରେ ଉକ୍ତ ଆପ୍ରେ ପଞ୍ଜିକୃତ କରିପାରିବେ। ଅଭିଯୋଗଟି ଆପ୍ରେ ପଞ୍ଜିକୃତ ହୋଇ ସାରିବା ପରେ ଏହା ସିଧାସଳଖ ଉକ୍ତ ଛାତ୍ରୀ ପଢୁଥିବା ଶିକ୍ଷାନୁଷ୍ଠାନର Internal Commiteeର ଅଧ୍ୟକ୍ଷଙ୍କ ନିକଟରେ ପହଂଚିବ।
ଛାତ୍ରୀମାନେ ଯଦି Stress, Anxiety ଆଦି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ଶକ୍ତିଶ୍ରୀ ମୋବାଇଲ ଆପ୍ ମାଧ୍ୟମରେ ସେମାନେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ସିଧା ସଳଖ କଥା ହୋଇ ଉପଯୁକ୍ତ ପରାମର୍ଶ ନେଇପାରିବେ। ଶକ୍ତିଶ୍ରୀ ଆପରେ ଛାତ୍ରୀମାନଙ୍କ ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଟେଲି-ମାନସ (Tele-MANAS -Tele Mental Health Assistance and Networking Across States) ଯୋଜନାର ସୁବିଧା ମଧ୍ୟ ଉପଲବ୍ଧ ହେବ। ଏଥିସହ କୌଣସି emergency ପରିସ୍ଥିତିରେ ଶକ୍ତିଶ୍ରୀ ମୋବାଇଲ ଆପ୍ ରେ ରହିଥିବା SOS ବଟନକୁ ବ୍ୟବହାର କରି ଛାତ୍ରୀମାନେ, ସିଧାସଳଖ ଶକ୍ତିଶ୍ରୀ ସାଥୀ ଏବଂ ଶକ୍ତିଶ୍ରୀ ସଂଯୋଜିକାଙ୍କ ସହ କଥା ହୋଇପାରିବେ ଓ ତୁରନ୍ତ ସାହାଯ୍ୟ ପାଇପାରିବେ । ଶକ୍ତିଶ୍ରୀ ମୋବାଇଲ ଆପରେ ବିଭିନ୍ନ ଜିଲ୍ଲାମାନଙ୍କରେ ରହିଥିବା ଲୋକାଲ୍ କମିଟି ସମ୍ବନ୍ଧରେ ମଧ୍ୟ ସବିଶେଷ ବିବରଣୀ ପ୍ରଦାନ କରାଯିବ। ଯଦି କୌଣସି ଛାତ୍ରୀ ହୃଦୟଙ୍ଗମ କରନ୍ତି ଯେ, ତାଙ୍କର ଅଭିଯୋଗ ସମ୍ପୃକ୍ତ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଦ୍ୱାରା ସମାଧାନ ହେଉନାହିଁ, ତେବେ ସେ ନିଜର ଅଭିଯୋଗ ସମ୍ବନ୍ଧରେ ଲୋକାଲ୍ କମିଟିକୁ ମଧ୍ୟ ଅବଗତ କରାଇପାରିବେ। ଏହି ସଂକ୍ରାନ୍ତୀୟ ଏକ SOP ଖୁବ ଶୀଘ୍ର ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଜାରି କରାଯିବ ।
