କ’ଣ ପାଠ ପଢ଼ିଛନ୍ତି ଖାନ ସାର, ଆପଣ ଜାଣନ୍ତି କି?
ନୂଆଦିଲ୍ଲୀ: କୋଚିଂ ଜଗତରେ ଗରିବ ପିଲାଙ୍କୁ ପାଠ ପଢାଇ ନୂଆ ପରିଚୟ ସୃଷ୍ଟି କରିଥିବା ଖାନ ସାରଙ୍କୁ ତ ଆପଣ ସୋସିଆଲ ମିଡିଆରେ ଦେଖିଥିବେ | କେମିତି ନିଜର କଠିନ ପରିଶ୍ରମ ବଳ ରେ ଆଜି ଅନେକ ଛାତ୍ରଛାତ୍ରୀଙ୍କୁ ଖୁବ କମ ମୂଲ୍ୟରେ ଶିକ୍ଷା ଯୋଗାଇ ଦେଇଛନ୍ତି ତାହା ତ ଆପଣ ଜାଣିଥିବେ | ଆପଣ ଜାଣନ୍ତି କି ଖାନ ସାରଙ୍କ ବାପା ଭାରତୀୟ ସେନାରେ ଥିଲେ ଏବଂ ତାଙ୍କ ବଡ଼ ଭାଇ ମଧ୍ୟ ସେନାରେ ଥିଲେ। ଖାନ ସାର୍ ମଧ୍ୟ ସେନାରେ ଯୋଗ ଦେବାକୁ ଚାହୁଁଥିଲେ, କିନ୍ତୁ ତାଙ୍କର ହାତ ସିଧା ନଥିବାରୁ ତାଙ୍କୁ ସେନାରେ ଭର୍ତ୍ତିପାଇଁ ଯୋଗ୍ୟ ବିବେଚନା କରାଯାଇନଥିଲା |
ପାଟନାର ପ୍ରସିଦ୍ଧ ଶିକ୍ଷକ ଖାନ ସାର୍ ଆଜି ଲକ୍ଷ ଲକ୍ଷ ଛାତ୍ରଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି, କିନ୍ତୁ ତାଙ୍କର ଯାତ୍ରା ସହଜ ନଥିଲା। ଗୋଟିଏ ସାକ୍ଷାତକାରରେ, ସେ ନିଜେ କହିଥିଲେ ଯେ ସେ ପାଠପଢ଼ାରେ ସେତେ ଭଲ ନ ଥିଲେ ଏବଂ ଇଞ୍ଜିନିୟରିଂ, ଏନଡିଏ ଏବଂ ଭାରତୀୟ ସେନା ନିଯୁକ୍ତି ପରୀକ୍ଷା ପରି ଅନେକ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭାଗ ନେଇଥିଲେ କିନ୍ତୁ ପ୍ରତ୍ୟେକ ଥର ବିଫଳ ହୋଇଥିଲେ। ଏହା ସତ୍ତ୍ୱେ ସେ ହାର ମାନି ନଥିଲେ।
ଅନେକ ଥର ବିଫଳ ହେବା ପରେ ମଧ୍ୟ ସେ ତାଙ୍କ ପାଠପଢ଼ା ଜାରି ରଖିଥିଲେ। ନିଜକୁ ଉନ୍ନତ କରିବା ପାଇଁ ଚେଷ୍ଟା ଜାରି ରଖି ଥିଲେ । ବି.ଏସ୍ସି କରିବା ପରେ, ସେ ତାଙ୍କର ଏମ.ଏ. ଏବଂ ଏମ.ଏସସି ମଧ୍ୟ ସମାପ୍ତ କଲେ। ସେ ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାର ପରମାର ମିଶନ ସ୍କୁଲରୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ। ଅଷ୍ଟମ ଶ୍ରେଣୀ ସମାପ୍ତ କରିବା ପରେ, ତାଙ୍କର ସ୍ୱପ୍ନ ଥିଲା ଭାରତୀୟ ସେନାରେ ଯୋଗଦେବା, କିନ୍ତୁ ସେ ସୈନିକ ସ୍କୁଲର ପ୍ରବେଶ ପରୀକ୍ଷାରେ ସଫଳ ହୋଇନଥିଲେ।
ଏହା ପରେ ସେ ପଲିଟେକ୍ନିକ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ, କିନ୍ତୁ ଏଥିରେ ମଧ୍ୟ ତାଙ୍କୁ ଆଶାନୁରୂପ ସଫଳତା ମିଳିଲା ନାହିଁ। ତଥାପି, ସେ ତାଙ୍କ ପାଠପଢ଼ା ଛାଡି ନଥିଲେ। ସେ ଇଂରାଜୀ ମାଧ୍ୟମ ସ୍କୁଲରୁ ଦଶମ ଏବଂ ହିନ୍ଦୀ ମାଧ୍ୟମ ସ୍କୁଲରୁ ଦ୍ୱାଦଶ ପାସ୍ କରିଥିଲେ।ଖାନ ସାର୍ ବିଜ୍ଞାନ ଷ୍ଟ୍ରିମରୁ ସ୍ନାତକ ହାସଲ କରିଥିଲେ ଏବଂ ତା’ପରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହା ବ୍ୟତୀତ, ତାଙ୍କର ଭୂଗୋଳରେ ସ୍ନାତକୋତ୍ତର ଡିଗ୍ରୀ ମଧ୍ୟ ଅଛି।
