ଅନଲାଇନରେ ‘ମହାପ୍ରସାଦ’ ନାଁରେ ଖଜା ବିକ୍ରି: ସାଇବର ଥାନାରେ ଅଭିଯୋଗ

ଭୁବବେଶ୍ୱର: ସୋସିଆଲ ମିଡିଆରେ ‘ମହାପ୍ରସାଦ’ ନାଁରେ ଖଜା ଓ ନିର୍ମାଲ୍ୟ ବିକ୍ରିର ବିଜ୍ଞାପନ ପୁଣି ଥରେ ଚର୍ଚ୍ଚାରେ। ଏକ ସଂସ୍ଥା ଫେସବୁକରେ ଖଜାର ଚିତ୍ର ପୋଷ୍ଟ କରି ପ୍ରତି କେଜି ୧୨୦୦ ଟଙ୍କାରେ ଅର୍ଡର ଦେବାକୁ ନିବେଦନ କରିଛି। କିନ୍ତୁ ପୁରୀରେ ଖଜାର ମୂଲ୍ୟ ୨୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏଭଳି ଅଧିକ ମୂଲ୍ୟରେ ବିକ୍ରି ଓ ମହାପ୍ରସାଦ ନାଁରେ ପ୍ରଚାର ଭକ୍ତଙ୍କ ଭାବାବେଗ ସହ ଖେଳିବା ବୋଲି ଅଭିଯୋଗ ହୋଇଛି।

ଆମ୍ ଆଦମୀ ପାର୍ଟି କର୍ମକର୍ତ୍ତା ଓ ଖଜା ବ୍ୟବସାୟୀମାନେ ଏହାର ବିରୋଧରେ ସାଇବର ଥାନାରେ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ଅନୁସାରେ, ଏହି ସଂସ୍ଥା ଅର୍ଡର ନେଇ ଖଜାକୁ ‘ମହାପ୍ରସାଦ’ ନାଁରେ ଲୋକଙ୍କୁ ପଠାଉଛି, ଯାହା ଭକ୍ତମାନେ ବିଶ୍ୱାସରେ ଗ୍ରହଣ କରୁଛନ୍ତି। କିନ୍ତୁ ଏହା ଶ୍ରୀମନ୍ଦିରରୁ କିଣାଯାଇଥିବା ମହାପ୍ରସାଦ କି ନୁହେଁ, ତାହାର କୌଣସି ଗ୍ୟାରେଣ୍ଟି ନାହିଁ।

ଏହାଛଡା, ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜା ମହାପ୍ରସାଦ ନୁହେଁ। ତେଣୁ ବାହାରୁ ଖଜା କିଣି ତାହାକୁ ମହାପ୍ରସାଦ ନାଁରେ ବିକ୍ରି କରିବା ଭକ୍ତଙ୍କ ଧାର୍ମିକ ଭାବନା ସହ ଖେଳିବା ବୋଲି ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *