କେମିତି ଅଛନ୍ତି ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିଥିବା ଯୁବକ
ଭୁବନେଶ୍ୱର:ଫକୀର ମୋହନ ମହାବିଦ୍ୟାଳୟରେ ଆତ୍ମଦାହ ଉଦ୍ୟମ କରିବା ସମୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇବାକୁ ଚେଷ୍ଟା କରିଥିବା ଯୁକ୍ତ ତିନି ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ଵାଳ ଏବେ ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।ସୋମ୍ୟାଶ୍ରୀଙ୍କ ଦେହରୁ ନିଆଁ ଲିଭାଇବାକୁ ଯାଇ ସେ ପୋଡ଼ି ଯାଇଥିଲେ।ଶରୀରର ୧୫ ଭାଗ ପୋଡ଼ି ହୋଇଯାଇଛି । ନିଆଁ ସଂସ୍ପର୍ଶରେ ଆସି ତାଙ୍କ ବେକ, ମୁହଁ ଓ ଛାତିର କିଛି ଅଂଶ ପୋଡ଼ି ଯାଇଥିଲା ଏବଂ ଶ୍ଵାସନଳୀ ଓ ଫୁସଫୁସ୍ ପ୍ରଭାବିତ ହୋଇଥିବାର ଆଶଙ୍କା ରହିଛି। ତେବେ ଫୁସଫୁସ୍ ସଂକ୍ରମଣ ଆଶଙ୍କାକୁ ରୋକିବାକୁ ଜ୍ୟୋତିଙ୍କୁ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ବର୍ଣ୍ଣ ୟୁନିଟ୍ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଚିକିତ୍ସା ବ୍ୟବସ୍ଥାକୁ ନେଇ ଜ୍ୟୋତି ଓ ତାଙ୍କ ପରିବାର ଲୋକେ ସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବର ପାଇବା ପରେ ଗତକାଲି ରାତିରୁ ଜ୍ୟୋତିଙ୍କ ପରିବାର ଲୋକ ବିଚଳିତ ହୋପଡ଼ିଛନ୍ତି ଓ କହିଛନ୍ତି ଝିଅଟି ବଞ୍ଚିଯାଇଥିଲେ ଆମେ ଖୁସି ହୋଇଥାନ୍ତୁ ହେଲେ ସେ ଆରପାରିକୁ ଚାଲିଗଲା ଏହା ଆମକୁ ଆଘାତ ଦେଇଛି। ମାତ୍ର ଜ୍ୟୋତି ପ୍ରକାଶ ଏହି ମୃତ୍ୟୁ କଥା ଜାଣିଛନ୍ତି କି ନାହିଁ ଜଣାପଡିନାହିଁ। ଜ୍ୟୋତିଙ୍କସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ଠିକ୍ ଅଛି।
