କପିଳାସ ହେଲା ପ୍ଲାଷ୍ଟିକ୍ ନିଷିଦ୍ଧାଞ୍ଚଳ, ନିୟମ ନମାନିଲେ ୫୦୦ ଟଙ୍କା ଜରିମାନା

ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାସକୁ ପ୍ଲାଷ୍ଟିକ୍ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା କରାଯାଇଛି । ଢେଙ୍କାନାଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କପିଳାସ ଛକ ଠାରୁ କପିଳାସ ପୀଠ, ପାର୍କିଂ ସ୍ଥଳ ଓ ଦେଓଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଅଞ୍ଚଳ କଟକଣାଭୁକ୍ତ ହୋଇଛି ।

ଅମାନ୍ୟକଲେ ୫୦୦ ଟଙ୍କାର ଜରିମାନା ପ୍ରାବଧାନ ରଖାଯାଇଛି। ସଂରକ୍ଷିତ ଜଙ୍ଗଲ ମଧ୍ୟରେ କପିଳାସ ପୀଠ ଥିବା ବେଳେ ପରିବେଶକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଢେଙ୍କାନାଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପକ୍ଷରୁ ଗୁରୁବାର ଏ ନେଇ ନିର୍ଦ୍ଦେଶନାମା (ପତ୍ରସଂଖ୍ୟା-୭୩୫୭) ପ୍ରକାଶ ପାଇଛି । ପ୍ଲାଷ୍ଟିକ୍ ଆବର୍ଜନା ପରିଚାଳନା ନିୟମ ୨୦୧୬ ଅନୁଯାୟୀ ପ୍ରଶାସନ ଏପରି ପଦକ୍ଷେପ ଗ୍ରହଣ କରିଛି । କପିଳାସ ପୀଠର ପାଦଦେଶ ଅର୍ଥାତ କପିଳାସ ଛକଠାରୁ ବାରବାଙ୍କ ଦେଇ କପିଳାସ ପୀଠର ଶିଖର ପର୍ଯ୍ୟନ୍ତ ଓ ପାର୍କିଂ ସ୍ଥଳ, ଘରୋଇ ହୋଟେଲଠାରୁ ଦେଓଗାଁ ପିଏଚ୍ସି ପର୍ଯ୍ୟନ୍ତ ଅଞ୍ଚଳକୁ କଟକଣା ଅଞ୍ଚଳରେ ସାମିଲ କରାଯାଇଛି । ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଗଁଦିଆ ବିଡି଼ଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଭଳି ପ୍ଲାଷ୍ଟିକ୍ ବ୍ୟବହାର କରାନଯାଏ ତାହା ନିଶ୍ଚିତ କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *