ଚମତ୍କାର ଫିଟନେସକୁ ନେଇ ଚର୍ଚ୍ଚାରେ କପିଲ

ଭାରତର ଲୋକପ୍ରିୟ କମେଡି ଅଭିନେତା କପିଲ ଶର୍ମା ତାଙ୍କ ହାସ୍ୟରସ ପାଇଁ ଜଣାଶୁଣା। ହେଲେ ଏବେ ତାଙ୍କ ଚମତ୍କାର ଫିଟନେସକୁ ନେଇ ଚର୍ଚ୍ଚାରେ କପିଲ। ୨୦୨୫ ଏପ୍ରିଲରେ ମୁମ୍ବାଇ ବିମାନବନ୍ଦରରେ କପିଲଙ୍କ ଫିଟ୍ ଚେହେରା ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଥିଲେ। କେମିତି ଓଜନ କମ୍ କଲେ କପିଲ। ସମସ୍ତଙ୍କ ମନରେ ଏଇ ପ୍ରଶ୍ନ। ତେବେ କପିଲଙ୍କ ଫିଟନେସ କୋଚ ଯୋଗେଶ ଭାଟେଜା କପିଲଙ୍କ ସ୍ଲିମସୂତ୍ର ଦେଇଛନ୍ତି। ‘୨୧-୨୧-୨୧’ ନିୟମ ବିଷୟରେ ଖୁଲାସା କରିଛନ୍ତି। ଯାହା ତାଙ୍କୁ ୬୩ ଦିନରେ ୧୧ କିଲୋ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥିଲା।

‘୨୧-୨୧-୨୧’ ନିୟମ କ’ଣ? ଯୋଗେଶ ଭାଟେଜାଙ୍କ ଅନୁସାରେ, ଏହି ନିୟମ ତିନୋଟି ପର୍ଯ୍ୟାୟରେ ବିଭକ୍ତ:

୧. ପ୍ରଥମ ୨୧ ଦିନ: ଏହି ସମୟରେ ଶରୀରକୁ ଗତିଶୀଳ ରଖିବା ଉପରେ ଧ୍ୟାନ ଦିଆଯାଏ। ସ୍କୂଲ ସମୟର ପିଟି (ଶାରୀରିକ ଶିକ୍ଷା) ପରି ସରଳ ବ୍ୟାୟାମ ଯଥା ଷ୍ଟ୍ରେଚିଂ, ଆର୍ମ ସର୍କଲ, ଓ ଜମ୍ପିଂ ଜ୍ୟାକ କରାଯାଏ। ଏହି ସମୟରେ ଖାଦ୍ୟରେ କୌଣସି ପରିବର୍ତ୍ତନ ଆବଶ୍ୟକ ନାହିଁ, ଆପଣ ଆପଣଙ୍କ ପସନ୍ଦର ଖାଦ୍ୟ ଖାଇପାରିବେ।

୨. ପରବର୍ତ୍ତୀ ୨୧ ଦିନ: ଏହି ପର୍ଯ୍ୟାୟରେ ଖାଦ୍ୟାଭ୍ୟାସରେ ଛୋଟ ପରିବର୍ତ୍ତନ ଆଣାଯାଏ। ଉଦାହରଣ ସ୍ୱରୂପ, ରାତିରେ ଦୁଧ ପିଇବା ବଦଳରେ ସକାଳେ ପିଇବା ଏବଂ ଖାଦ୍ୟରେ ଚିନି ବା ଗୁଡ଼ର ମାତ୍ରା କମାଇବା। ଏହା ହଜମ ଶକ୍ତିକୁ ଉନ୍ନତ କରି ଶରୀରକୁ ଅଧିକ ସକ୍ରିୟ ରଖେ।

୩. ଶେଷ ୨୧ ଦିନ: ଏହି ସମୟରେ ମାନସିକ ଓ ଭାବନାତ୍ମକ ନିର୍ଭରତା ଯେପରିକି ଧୂମପାନ, ମଦ୍ୟପାନ, ବା ଅତ୍ୟଧିକ ଖାଦ୍ୟ ଖାଇବା ଉପରେ ନିୟନ୍ତ୍ରଣ କରାଯାଏ। ୬୩ ଦିନ ପରେ, ଏକ ସୁସ୍ଥ ଜୀବନଶୈଳୀ ଆପଣଙ୍କ ଦୈନନ୍ଦିନ ଜୀବନରେ ସମ୍ପୂର୍ଣ୍ଣ ରୂପେ ସାମିଲ ହୋଇଯାଏ।

କପିଲ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିଛନ୍ତି। ଯୋଗେଶ ଭାଟେଜାଙ୍କ କହିବା ଅନୁସାରେ, କପିଲଙ୍କ ଖାଦ୍ୟପେୟର କୌଣସି ସମୟ ନଥିଲା। ବହୁତ୍ କମ୍ ସମୟ ଶୋଉ ନଥିଲେ। ଯାହା ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥିଲା। ଏବେ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସହ ନିୟମିତ ବ୍ୟାୟାମ କରୁଛନ୍ତି। ଖାଦ୍ୟରେ ମାଛ, ସାଲାଡ, ସୁପ, ଓ ସିଝା ପାରିବା ସହ ପ୍ରୋଟିନ ଓ ଫାଇବର ସାମିଲ କରିଛନ୍ତି। ସେ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ମଧ୍ୟ ଅନୁସରଣ କରୁଥିଲେ।

ପ୍ରଶଂସକଙ୍କ ପ୍ରତିକ୍ରିୟା କପିଲଙ୍କ ଏହି ପରିବର୍ତ୍ତନ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଛନ୍ତି, “ମେହନତ କର, ପ୍ରକୃତି ତୁମ ସାଙ୍ଗରେ ଅଛି।” ଏହି ଭିଡିଓରେ ସେ ଏକ ପାହାଡ ଅଞ୍ଚଳରେ ଦୌଡୁଥିବା ଦେଖିବାକୁ ମିଳିଛି। ଯାହା ତାଙ୍କ ପ୍ରଶଂସକଙ୍କୁ ପ୍ରେରଣା ଦେଇଛି। କପିଲ ଓଜନ କମାଇବା ପାଇଁ କୌଣସି ଔଷଧ ସେବନ କରିନାହାନ୍ତି। କପିଲଙ୍କ କୋଚ ସ୍ପଷ୍ଟ କରିଛନ୍ତି ଯେ ଏହା ଜୀବନଶୈଳୀ ପରିବର୍ତ୍ତନର ଫଳ। କପିଲଙ୍କ ଏଇ ଫିଟନେସ ଯାତ୍ରା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି।

Leave a Reply

Your email address will not be published. Required fields are marked *