ଆରପାରିରେ ଅଭିନେତା ସନ୍ତୋଷ ବଳରାଜ
ଭୁବନେଶ୍ୱର: କନ୍ନଡ ଚଳଚ୍ଚିତ୍ର ଜଗତରୁ ଆସିଲା ଏକ ଦୁଃଖଦ ଖବର। ପ୍ରସିଦ୍ଧ କନ୍ନଡ ଅଭିନେତା ସନ୍ତୋଷ ବଳରାଜ ୩୪ ବର୍ଷ ବୟସରେ ଏହି ଦୁନିଆକୁ ଛାଡ଼ିଚାଲିଗଲେ। ବେଙ୍ଗାଲୋରର ଆପୋଲୋ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ସନ୍ତୋଷ ବଳରାଜ ଗତ କିଛି ମାସ ଧରି କିଡନୀ ଓ ଲିଭର ସମସ୍ୟାରେ ପୀଡ଼ିତ ଥିଲେ। ଏହି ସମସ୍ୟାର ଫଳରେ ତାଙ୍କୁ ଜଣ୍ଡିସ ହୋଇଥିଲା ଓ ଏହି ଅବସ୍ଥାରେ ସେ କୋମାକୁ ଚାଲିଯାଇଥିଲେ। ଆଇସିୟୁରେ ଚିକିତ୍ସା ସମୟରେ ତାଙ୍କ ଅନେକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା ଏବଂ ଶେଷରେ ସେ ପୁଣି ପୂର୍ବ ଅବସ୍ଥାକୁ ଫେରିପାରିନଥିଲେ |
ସନ୍ତୋଷ ବଳରାଜ ହେଉଛନ୍ତି ଅନେକଲ ବଳରାଜଙ୍କ ପୁଅ, ଯିଏ ଜଣେ ପ୍ରସିଦ୍ଧ ଫିଲ୍ମ ପ୍ରଯୋଜକ ଥିଲେ। ତାଙ୍କ ପିତା ୨୦୨୨ ମସିହାରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଜୀବନ ହରାଇଥିଲେ। ପିତାଙ୍କ ମୃତ୍ୟୁର ମାତ୍ର ୩ ବର୍ଷ ମଧ୍ୟରେ ସନ୍ତୋଷଙ୍କ ବିଦାୟ ସମସ୍ତ ସିନେମା ଜଗତକୁ ସ୍ତବ୍ଦ କରିଦେଇଛି ।
ସନ୍ତୋଷଙ୍କ ସିନେମା କ୍ୟାରିଅର ୨୦୦୯ ମସିହାରେ ତାଙ୍କ ପିତାଙ୍କ ଦ୍ୱାରା ନିର୍ମିତ ଫିଲ୍ମ”କେମ୍ପା”ମାଧ୍ୟମରେ ଆରମ୍ଭ ହୋଇଥିଲା । ଏହି କନ୍ନଡ ଆକ୍ସନ ଡ୍ରାମା ତାଙ୍କର ପ୍ରଥମ ଫିଲ୍ମ ଥିଲା। ଏହାପରେ ସେ ‘କାରିଆ ୨’, ‘ଗନପା’, ‘ବେରକେଲେ’, ଓ ‘ସତ୍ୟ’ ଭଳି କିଛି ଚର୍ଚ୍ଚିତ ଫିଲ୍ମରେ ଅଭିନୟ କରିଥିଲେ। ‘ଗନପା’ ଫିଲ୍ମ ପରେ ସେ ଫିଲ୍ମ ଜଗତରେ ବେଶ ଜଣାଶୁଣା ହୋଇପାରିଥିଲେ ।
ସନ୍ତୋଷ ବିବାହିତ ନଥିଲେ ଏବଂ ସେ ତାଙ୍କ ମାଆଙ୍କ ସହିତ ବସବାସ କରୁଥିଲେ। ପିତାଙ୍କ ପରେ ତାଙ୍କ ମୃତ୍ୟୁ ଏକ ବଡ଼ ଦୁଖଦପୂର୍ଣ ଘଟଣା ଭାବେ ଦେଖାଯାଇଛି| ତାଙ୍କ ଅସମୟର ଦେହାନ୍ତ ଉପରେ କେବଳ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ, ଦେଶର ଅନେକ ସିନେ ଶ୍ରଦ୍ଧାଳୁମାନେ ମାନସିକ ଆଘାତରେ ଅଛନ୍ତି। ତାଙ୍କର ଅପୂରଣୀୟ ଅଭିନୟ ଓ ଉଜ୍ଜ୍ୱଳ ଭବିଷ୍ୟତ ଦେଖି ଦର୍ଶକମାନେ ବି ଶୋକାକୁଳ।
