ଘୋଷଣା ହେଲା ୨୦୨୪ର ଶ୍ରେଷ୍ଠ ଟେଷ୍ଟ ଏକାଦଶ, ଯଶପ୍ରୀତ ବୁମରା ଅଧିନାୟକ, ହେଡ୍ ଓ କମିନ୍ସ ବାଦ୍

ନୂଆଦିଲ୍ଲୀ: ୨୦୨୪ର ଶ୍ରେଷ୍ଠ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍ ଙ୍କୁ ଏହି ଦଳରେ ସ୍ଥାନ ମିଳିନାହିଁ। ଭାରତର ଷ୍ଟାର ପେଶ ବୋଲର ଯଶପ୍ରୀତ ବୁମରାଙ୍କୁ ଏହି ଦଳର ଅଧିନାୟକ କରାଯାଇଛି। ଏହି ଦଳକୁ କ୍ରିକେଟ୍ ଅଷ୍ଟ୍ରେଲିଆ ଚୟନ କରିଛି।
ପ୍ରତିବର୍ଷ ଶେଷରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପ୍ରତ୍ୟେକ ଫର୍ମାଟର ଶ୍ରେଷ୍ଠ ଦଳ ଚୟନ କରିଥାଏ। ଏଥିରେ ସାରା ବିଶ୍ୱରୁ ଭଲ ପ୍ରଦର୍ଶନ କରୁଥିବା ୧୧ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି। ନିକଟରେ ଯେଉଁ ଦଳ ଘୋଷଣା କରାଯାଇଛି ତାହା ଆଇସିସି ଚୟନ କରିନାହିଁ, ବରଂ ଏହା କ୍ରିକେଟ ଅଷ୍ଟ୍ରେଲିଆର ଶ୍ରେଷ୍ଠ ଟେଷ୍ଟ ଏକାଦଶ।
କ୍ରିକେଟ୍ ଅଷ୍ଟ୍ରେଲିଆ ତା’ର ଶ୍ରେଷ୍ଠ ଟେଷ୍ଟ ଏକାଦଶରେ ଭାରତରୁ ୨ ଜଣ, ଶ୍ରୀଲଙ୍କାର ଜଣେ, ଇଂଲଣ୍ଡର ୩ ଜଣ, ଦକ୍ଷିଣ ଆଫ୍ରିକାରୁ ଜଣେ, ନ୍ୟୁଜିଲାଣ୍ଡର ୨ ଜଣ ଏବଂ ଅଷ୍ଟ୍ରେଲିଆର ୨ ଜଣ ଖେଳାଳିଙ୍କୁ ଚୟନ କରିଛି। ପାକିସ୍ତାନର କୌଣସି ଖେଳାଳି ଏହି ଦଳରେ ସ୍ଥାନ ପାଇନାହାନ୍ତି।
କ୍ରିକେଟ ଅଷ୍ଟ୍ରେଲିଆ ଦଳରେ ଭାରତର ଯଶସ୍ୱୀ ଜୟସ୍ୱାଲ ଓ ଇଂଲଣ୍ଡର ବେନ୍ ଡକେଟ୍ ଓପନର ଭାବେ ମନୋନୀତ ହୋଇଛନ୍ତି। ଇଂଲଣ୍ଡର ଜୋ ରୁଟ୍ ତୃତୀୟ ସ୍ଥାନରେ ରହିଛନ୍ତି। ଏହା ପରେ ରାଚିନ୍ ରବୀନ୍ଦ୍ର ଚତୁର୍ଥ ଓ ଇଂଲଣ୍ଡର ହ୍ୟାରି ବ୍ରୁକ୍ ପଞ୍ଚମ ସ୍ଥାନରେ ରହିଛନ୍ତି। ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ୍ ଷଷ୍ଠ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଆଲେକ୍ସ କେରି ୱିକେଟ୍ ରକ୍ଷକ ଅଛନ୍ତି। ଦ୍ରୁତ ବୋଲିଂରେ ନ୍ୟୁଜିଲାଣ୍ଡର ମ୍ୟାଚ୍ ହେନରି, ଭାରତର ଯଶପ୍ରୀତ ବୁମରା ଓ ଅଷ୍ଟ୍ରେଲିଆର ଜୋସ୍ ହେଜଲଉଡ୍ ରହିଛନ୍ତି। ସ୍ପିନର ହେଉଛନ୍ତି ଦକ୍ଷିଣ ଆଫ୍ରିକାର କେଶବ ମହାରାଜ।
ଏମାନେ ସମସ୍ତେ ବର୍ଷ ସାରା ଅର୍ଥାତ୍ ୨୦୨୪ ରେ ଟେଷ୍ଟ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଛନ୍ତି। ତେବେ ଅଷ୍ଟ୍ରେଲିଆର ବର୍ତ୍ତମାନର ଟେଷ୍ଟ ଅଧିନାୟକ ପ୍ୟାଟ୍ କମିନ୍ସ ମଧ୍ୟ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ତାଙ୍କୁ ଏହି ଦଳରେ ଚୟନ କରାଯାଇନାହିଁ।