କାର୍ଯ୍ୟକାଳ ସରିବା ଆଗରୁ କେଉଁ ଉପରାଷ୍ଟ୍ରପତିମାନେ ଅଧାରୁ ଦେଇଥିଲେ ଇସ୍ତଫା?
ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଏହାକୁ ନେଇ ଆଲୋଚନା ଜୋର ଧରିଛି | ରାଷ୍ଟ୍ରପତିଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ସେ ତାଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ବାବଦରେ ଉଲ୍ଲେଖ କରିଥିଲେ | ତେବେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ପ୍ରଥମ ଦିନରେ ଧନଖଡ଼ଙ୍କ ଇସ୍ତଫା ଅନେକଙ୍କୁ ଚକିତ କରିଛି।
ସମ୍ବିଧାନର ଧାରା ୬୭(କ) ଅନୁସାରେ ସେ ଇସ୍ତଫା ଦେଇଛନ୍ତି। ତେଣୁ ତାଙ୍କ ଇସ୍ତଫା ତତ୍କାଳ କାର୍ଯ୍ୟକାରୀ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଧନଖଡ଼ ପଠାଇଥିବା ଇସ୍ତଫାପତ୍ରରେ ତାଙ୍କର ଅକୁଣ୍ଠ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି। ଏଥିସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସମର୍ଥନକୁ ସେ ଅମୂଲ୍ୟ ବୋଲି ଦର୍ଶାଇଛନ୍ତି। ସଂସଦର ମାନ୍ୟବର ସଦସ୍ୟମାନଙ୍କ ପକ୍ଷରୁ ମୋତେ ଯେଉଁ ଭଲପାଇବା ମିଳିଛି ତାହା ସବୁଦିନ ପାଇଁ ମନେ ରହିବ।
ତେବେ ଧନଖଡ଼ ପ୍ରଥମ ବ୍ୟକ୍ତି ନୁହନ୍ତି ଯିଏ କାର୍ଯ୍ୟକାଳ ସରିବା ଆଗରୁ ଇସ୍ତଫା ଦେଇଛନ୍ତି | ତାଙ୍କ ପୂର୍ବରୁ ମଧ୍ୟ ଅନ୍ୟ ୨ଜଣ ଉପରାଷ୍ଟ୍ରପତି ନିଜର କାର୍ଯ୍ୟକାଳ ସମାପ୍ତ ହେବା ଆଗରୁ ଓହରିଯାଇଥିଲେ | ସେମାନେ ହେଲେ ଭି ଭି ଗିରି ଏବଂ ଆର୍ ଭେଙ୍କଟରମଣ। ୧୯୬୭ ମସିହାରେ ଭି ଭି ଗିରି ଉପରାଷ୍ଟ୍ରପତି ହୋଇଥିଲେ ଏବଂ ୧୯୬୯ ମସିହା ଜୁଲାଇ ୨୦ରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ୧୯୬୯ ମେ ମାସରେ ତତ୍କାଳୀନ ରାଷ୍ଟ୍ରପତି ଜାକିର ହୁସେନଙ୍କ ପରଲୋକ ହୋଇଥିଲା। ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ଶ୍ରୀ ଗିରିଙ୍କୁ ଉପରାଷ୍ଟ୍ରପତି ପଦରୁ ଓହରିବାକୁ ପଡ଼ିଥିଲା। ଇନ୍ଦିରା ଗାନ୍ଧୀଙ୍କ ଦୃଢ଼ ସମର୍ଥନ କାରଣରୁ ୧୯୬୯ ଅଗଷ୍ଟ ୨୦ରେ ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ସେହିଭଳି ରାମସ୍ବାମୀ ଭେଙ୍କଟରମଣ ରାଷ୍ଟ୍ରପତି ହେବା ପାଇଁ ଉପରାଷ୍ଟ୍ରପତି ପଦରୁ ୧୯୮୭ ମସିହାରେ ଇସ୍ତଫା ଦେଇଥିଲେ।
ରାଜସ୍ଥାନର ଝୁନଝୁନୁ ଜିଲ୍ଲା ଅଧୀନ କିଥାନା ଗ୍ରାମରେ ଧନଖଡ଼ ୧୯୫୧ ମେ’ ୧୮ରେ ଜନ୍ମ ହୋଇଥିଲେ। ରାଜସ୍ଥାନ ବାର୍ କାଉନସିଲଠାରୁ ଓକିଲାତି ଜୀବନରୁ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ ହୋଇଥିଲା। ଶେଷରେ ସେ ଭାରତର ଉପରାଷ୍ଟ୍ରପତି ପଦ ଭଳି ବଡ଼ ସାମ୍ବିଧାନିକ ପଦରେ ବସିବାର ସୌଭାଗ୍ୟ ଲାଭ କରିଥିଲେ। ୨୦୨୨ ମସିହା ଅଗଷ୍ଟ ୧୧ରୁ ଧନଖଡ଼ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଆସୁଛନ୍ତି। ପୂର୍ବରୁ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ସେ ଲୋକସଭାର ସଦସ୍ୟ ଥିଲେ। ଚନ୍ଦ୍ରଶେଖରଙ୍କ ସରକାରରେ ସେ କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ଧନଖଡ଼ ବିଜେପି, କଂଗ୍ରେସ ଏବଂ ଜନତା ଦଳରେ ରାଜନୀତି କରିଛନ୍ତି। ସେ ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ଲୋକସଭା ସଦସ୍ୟ ଥିଲେ ଏବଂ ୧୯୯୩ରୁ ୧୯୯୮ ରାଜସ୍ଥାନ ବିଧାନସଭାରେ କଂଗ୍ରେସ ସଦସ୍ୟ ଭାବେ ପ୍ରତିନିଧିତ୍ବ କରିଥିଲେ।
