କୁହୁଳୁଛି ଅସନ୍ତୋଷ, ହବ କି ବିସ୍ଫୋରଣ?

ଭୁବନେଶ୍ୱର-ବିଜେଡିରେ ବରିଷ୍ଠ ଅସନ୍ତୁଷ୍ଟ। ଲଗାତାର ଜଣେ ପରେ ଜଣେ ନେତା ଅସନ୍ତୋଷ ଝାଡ଼ିବା ପରେ ବିଜେଡିରେ ଅଲ୍‌ ଇଜ୍‌ ନଟ୍‌ ୱେଲ୍‌ ତାହା ସ୍ପଷ୍ଟ ଜଣା ପଡ଼ୁଛି। ରାତି ପାହିଲେ ବରିଷ୍ଠ ଅସନ୍ତୋଷ ଉଗାରୁଛନ୍ତି। ପରୋକ୍ଷରେ କାର୍ପଟଦାର ଗୋଷ୍ଠୀକୁ ଚେତାବନୀ ବି ଦେଉଛନ୍ତି। ପ୍ରଥମେ ଦେବାଶିଷ ସାମନ୍ତରାୟ, ପରେ ରାଜା ସ୍ବାଇଁ, ବୁଧବାର ବଦ୍ରି ପାତ୍ର ଓ ଗୁରୁବାର ଅଶୋକ ପଣ୍ଡା ସିଧାସଳଖ କହିଛନ୍ତି, ଦଳ ସମସ୍ତଙ୍କୁ ନେଇ ଚାଲିବ, ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ନୁହେଁ। ଏହା ସ୍ପଷ୍ଟ କରୁଛି ଯେ, ବିଜେଡିରେ ବରିଷ୍ଠ ଅଣଦେଖା। ନିଜର କୋଟେରୀ ଗ୍ରୁପ ନେଇ ମାମତକାରୀ ଚଳାଇଛନ୍ତି କି ପାଣ୍ଡିୟାନ୍‌?

ଗୋଟିଏ ପଟେ ସଙ୍ଗଠନକୁ ଟ୍ରାକକୁ ଆଣିବାକୁ ୩ ଦିନ ତଳେ ଯୁବ ଓ ଛାତ୍ର ସଭାପତିଙ୍କ ନାଁ ଘୋଷଣା କରିଛନ୍ତି ନବୀନ। କିନ୍ତୁ ଏହା ଭିତରେ ଦଳର ବରିଷ୍ଠ ନେତାଙ୍କ ଚେତାବନୀ, ବିଜେଡିରେ ସବୁକିଛି ଠିକ୍ ଚାଲିନଥିବା ଆଡକୁ ଇଙ୍ଗିତ କରୁଛି। ଆଉ ଦଳ ଯେ ପୂର୍ବ ପରାଜୟରୁ କିଛି ବି ଶିଖିନି ତାହା ଜଳଜଳ ଦିଶୁଛି। କାରଣ ଲଗାତାର ବରିଷ୍ଠ ନେତାଙ୍କ ତେରେଛା ବାଣ, ଦଳ ଭିତର ଗୁମର ବାହାରକୁ ଆଣୁଛି। ଦଳରେ ଏବେବି ପାଣ୍ଡିୟାନ ପାୱାରଫୁଲ୍‌, ତାହା ବରିଷ୍ଠଙ୍କ ଅସନ୍ତୋଷରୁ ଜଣା ପଡ଼ୁଛି। ନବୀନଙ୍କ ଅସୁସ୍ଥତା ଭିତରେ ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି।

ଜଣେ ପରେ ଜଣେ ନେତାଙ୍କ ବିସ୍ଫୋରଣ ଦଳକୁ ଅଡୁଆରେ ପକାଉଛି। ନିଜ ନିଜ ଅନ୍ଦାଜରେ ସୁପ୍ରିମୋଙ୍କୁ ଚେତାଉଛନ୍ତି ପୁରୁଣା ସହଯୋଗୀ। ଏବେଠୁ ସତର୍କ ନହେଲେ ଆଗକୁ ସ୍ଥିତି ସାଂଘାତିକ ହୋଇପାରେ। ଯଦି ଦେଖିବା ପୁରୁଖା ନେତା କିଛି ଭୁଲ୍‌ ବି ନୁହଁନ୍ତି। ସାଧାରଣ ନିର୍ବାଚନ ହାରିବା ପରେ ତୃଣମୂଳସ୍ତରରେ ବିଜେଡ଼ି ଗଡ଼ ଭାଙ୍ଗି ଚାଲିଛି। ଗୋଟିଏ ପରେ ଗୋଟିଏ ବ୍ଲକ ଦଖଲ କରୁଛି ବିଜେପି। ଏସବୁ ଭିତରେ ବିଜେଡିର ବରିଷ୍ଠ ନେତାଙ୍କ ବୟାନବାଜି, ତୃଣମୂଳସ୍ତରର କର୍ମୀଙ୍କ ମନରେ ଶଙ୍କା ସୃଷ୍ଟି କରିଛି।

ଦଳୀୟ ନିଷ୍ପତ୍ତି ପଛରେ ଅଘୋଷିତ କାର୍ପଟଦାରଙ୍କ ପ୍ରଭାବକୁ ନେଇ ବିଜେଡି ଭିତରେ ଅସନ୍ତୋଷ ଓ ମତଭେଦ ଉଗ୍ରରୂପ ନେଲାଣି। କିନ୍ତୁ ଏତେ କଥା ପରେ ବି ନବୀନ୍‌ ଚୁପ୍‌ କାହିଁକି? ଦଳର ସ୍ଥିତି ବାବଦରେ ନବୀନ ଜାଣୁଛନ୍ତି ତ? ୨୪ ନିର୍ବାଚନରେ ପରାଜୟ ପରେ, ୨୪ ବର୍ଷର ସରକାର ବଦଳିଥିଲା। ଏହାପରେ ଅନେକ ବରିଷ୍ଠ ନେତା ହାରିବା ପଛର ଗୁମର ଖୋଲିଥିଲେ। କୁହୁଳୁଥିବା ଅସନ୍ତୋଷ ଆଉ କେତେ ଦିନ ଚାପି ରଖିବେ। ମଉକା ଦେଖି ଉଗାରୁଥିଲେ। ଏବେ ପୁଣିଥରେ ସେହି ସମାନ ପ୍ରସଙ୍ଗ ଉଠାଇ ବିଜେଡିରେ ଯେ, କିଛି ବି ବଦଳିନି ତାର ସଂକେତ ଦେଇଛନ୍ତି ଅସନ୍ତୁଷ୍ଟ ବରିଷ୍ଠ।

Leave a Reply

Your email address will not be published. Required fields are marked *