ମହାକାଶରେ ନୂଆ ଇତିହାସ ରଚିଲା ଭାରତ

ବେଙ୍ଗାଲୁରୁ: ମହାକାଶରେ ଭାରତ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଇସ୍ରୋର ସ୍ପାଡେଏକ୍ସ ମିଶନ ଐତିହାସିକ ସଫଳତା ହାସଲ କରିଛି । ପ୍ରଥମ ଥର ପାଇଁ ପୃଥିବୀର କକ୍ଷପଥରେ ଦୁଇଟି ଉପଗ୍ରହକୁ ସଫଳତାର ସହ ଅବସ୍ଥାପିତ କରିଛି। ଏହା ସହ ଆମେରିକା, ରୁଷିଆ ଓ ଚୀନ୍ ପରେ ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି। ବାସ୍ତବରେ ଏହା ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଏହି ଐତିହାସିକ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି।

ଉପଗ୍ରହର ସଫଳ ମହାକାଶ ଡକିଂ ପାଇଁ ଇସ୍ରୋ ବୈଜ୍ଞାନିକ ଏବଂ ସମଗ୍ର ମହାକାଶ ଟିମକୁ ଅଭିନନ୍ଦନ । ଆଗାମୀ ଦିନରେ ଭାରତର ମହତ୍ୱାକାଂକ୍ଷୀ ମହାକାଶ ଅଭିଯାନ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଜାନୁଆରୀ ୧୨ରେ ଏହି ମିଶନର ପରୀକ୍ଷଣ ଶେଷ ହୋଇଥିଲା ।

ଏଥିସହ ଇସ୍ରୋ ମଧ୍ୟ ଏହି ଐତିହାସିକ ସଫଳତା ପାଇଁ ନିଜର ପୂରା ଟିମକୁ ଅଭିନନ୍ଦନ ଜଣାଇଛି। ଏଜେନ୍ସି କହିଛି ଯେ ସ୍ପାଡେକ୍ସ ମିଶନର ଡକିଂ ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଛି। ଏହା ଏକ ଐତିହାସିକ ମୁହୂର୍ତ୍ତ। ୧୫ ମିଟରରୁ ୩ ମିଟର ହୋଲ୍ଡ ପଏଣ୍ଟକୁ ଆଣିବା ପ୍ରକ୍ରିୟା ଶେଷ ହୋଇଛି। ଏହି ମହାକାଶଯାନକୁ ସଫଳତାର ସହ କାବୁ କରାଯାଇଥିଲା। ମହାକାଶରେ ସଫଳ ଡକିଂ ହାସଲ କରିବାରେ ଭାରତ ଚତୁର୍ଥ ଦେଶ ହୋଇଛି।

ଜାନୁଆରୀ ୧୨ ତାରିଖ ରବିବାର ଦିନ ସ୍ପାଡେକ୍ସର ଉଭୟ ସାଟେଲାଇଟ୍ ଚେଜର୍ ଏବଂ ଟାର୍ଗେଟ ପରସ୍ପରର ଅତି ନିକଟତର ହୋଇଥିଲା। ଦୁଇଟି ଉପଗ୍ରହକୁ ପ୍ରଥମେ ୧୫ ମିଟର ଏବଂ ପରେ ୩ ମିଟର ନିକଟକୁ ଅଣାଯାଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଶନିବାର ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ (ସ୍ପାଡେକ୍ସ) ଅଭିଯାନରେ ସାମିଲ ହୋଇଥିବା ଦୁଇଟି ଉପଗ୍ରହ ମଧ୍ୟରେ ଦୂରତା ୨୩୦ ମିଟର ଥିଲା। ପୂର୍ବରୁ ଏହି ମିଶନକୁ ଦୁଇରୁ ତିନି ଥର ସ୍ଥଗିତ ରଖାଯାଇଥିଲା।

ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ ମିଶନର ଉଦ୍ଦେଶ୍ୟ ହେଉଛି ମହାକାଶରେ ଡକିଂ ଟେକ୍ନୋଲୋଜି ପ୍ରଦର୍ଶନ କରିବା, ଯାହା ଭାରତର ଭବିଷ୍ୟତ ମହାକାଶ ପ୍ରୟାସ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏବେ ଏହି ଅଭିଯାନ ମହାକାଶ କେନ୍ଦ୍ର ଓ ଚନ୍ଦ୍ରଯାନ-୪ର ସଫଳତା ନିର୍ଦ୍ଧାରଣ କରିବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୬୦ ରକେଟ ସାହାଯ୍ୟରେ ଇସ୍ରୋ ଡିସେମ୍ବର ୩୦ ରେ ଏହି ଅଭିଯାନକୁ ସଫଳତାର ସହ ଉତକ୍ଷେପଣ କରିଥିଲା ।

ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିବା ଏହି ଅଭିଯାନରେ ଦୁଇଟି କ୍ଷୁଦ୍ର ଉପଗ୍ରହ ସାମିଲ ରହିଛି। ଏମାନଙ୍କ ମଧ୍ୟରୁ ପ୍ରତ୍ୟେକର ଓଜନ ପ୍ରାୟ ୨୨୦ କେଜି । ଇସ୍ରୋ ପାଇଁ ଏହି ଅଭିଯାନ ଏକ ବଡ଼ ପରୀକ୍ଷଣ। ଏହି ମିଶନ ଭାରତୀୟ ମହାକାଶ ଷ୍ଟେସନ ପ୍ରତିଷ୍ଠା ଏବଂ ଚନ୍ଦ୍ରଯାନ-୪ର ସଫଳତା ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଚନ୍ଦ୍ରଯାନ-୪ ମିଶନରେ ଏହି ଡକିଂ-ଅନଟୋକିଂ କୌଶଳ ବ୍ୟବହାର କରାଯିବ। ନାସା ଭଳି ଏହି ମିଶନର ଟେକ୍ନୋଲୋଜିକୁ ନିଜର ମହାକାଶ ଷ୍ଟେସନ ନିର୍ମାଣ ରେ ବ୍ୟବହାର କରାଯିବ । ମଣିଷକୁ ଚନ୍ଦ୍ରକୁ ପଠାଇବା ପାଇଁ ମଧ୍ୟ ଏହି ଜ୍ଞାନକୌଶଳର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *