ବାର୍ଡଫ୍ଲୁ ଭୂତାଣୁର ମ୍ୟୁଟେସନ୍ ହୋଇପାରେ ମଣିଷ ପାଇଁ ବିପଦ: ଆସିଲା ଆଇଆଇଏସ୍ସିର ରିପୋର୍ଟ
ବେଙ୍ଗାଲୁରୁ: ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସ୍ସି)ର ଗବେଷକମାନେ ଚିନ୍ତାଜନକ ତଥ୍ୟ ପ୍ରକାଶ କରିଛନ୍ତି, ଏଚ୍୫ଏନ୍୧ ବା ବାର୍ଡ ଫ୍ଲୁ ଭୂତାଣୁରେ ହୋଇଥିବା ନିର୍ଦ୍ଦିଷ୍ଟ ମ୍ୟୁଟେସନ୍ ମଣିଷ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିପାରେ। ଆଇଆଇଏସ୍ସିର ବାୟୋକେମିଷ୍ଟ୍ରି ବିଭାଗର ସହକାରୀ ପ୍ରଫେସର କେଶବର୍ଦ୍ଧନ ସାନୁଲାଙ୍କ ନେତୃତ୍ୱରେ କରାଯାଇଥିବା ଏହି ଗବେଷଣାରେ ଜଣାପଡ଼ିଛି ଯେ, ବର୍ତ୍ତମାନ ପ୍ରସାରିତ ୨.୩.୪.୪ବି କ୍ଲେଡ୍ ଭୂତାଣୁର ଜିନୋମ୍ରେ ଏକ ଖାସ୍ ମ୍ୟୁଟେସନ୍ ହୋଇଛି, ଯାହା ମାନବ ଶରୀରରେ ଏହାର ସଂକ୍ରମଣ ଓ ବୃଦ୍ଧିକୁ ଅନୁକୂଳ କରିପାରେ।
ଅଧ୍ୟୟନର ପ୍ରଥମ ଲେଖକ ତଥା ବାୟୋକେମିଷ୍ଟ୍ରି ବିଭାଗର ପ୍ରୋଜେକ୍ଟ ଆସୋସିଏଟ ରଞ୍ଜନା ନଟରାଜ କହିଛନ୍ତି, “ଏହି ଭୂତାଣୁବର୍ଗରେ ମହାମାରୀ ସୃଷ୍ଟି କରିପାରୁଥିବା ମାନବ ଇନଫ୍ଲୁଏଞ୍ଜା ଷ୍ଟ୍ରେନ୍ର ସମାନ ମ୍ୟୁଟେସନ୍ ଦେଖାଯାଇଛି, ଯାହା ଏକ ବଢ଼ୁଥିବା ବିପଦର ସଙ୍କେତ ଦେଉଛି।”
ଏଚ୍୫ଏନ୍୧ ବାର୍ଡ ଫ୍ଲୁ ଭୂତାଣୁ ପ୍ରାୟ ତିନି ଦଶନ୍ଧି ପୂର୍ବେ ପକ୍ଷୀମାନଙ୍କଠାରେ ପ୍ରଥମେ ଚିହ୍ନଟ ହୋଇଥିଲା। ବର୍ତ୍ତମାନ ଏହା ଧୀରେ ଧୀରେ ମଣିଷଙ୍କୁ ସଂକ୍ରମିତ କରୁଛି। ଗବେଷକମାନେ କହିଛନ୍ତି, ଯେତେବେଳେ ଇନଫ୍ଲୁଏଞ୍ଜା ଭୂତାଣୁ ନୂତନ ଜୀବଦେହରେ ପ୍ରବେଶ କରେ, ଏହା ଜେନେଟିକ୍ ମ୍ୟୁଟେସନ୍ ମାଧ୍ୟମରେ ନିଜକୁ ସେହି ଜୀବ ସହ ଖାପଖୁଆଇବାରେ ସକ୍ଷମ ହୋଇଥାଏ। ଏହି ମ୍ୟୁଟେସନ୍ ଭୂତାଣୁକୁ ମଣିଷଙ୍କ ମଧ୍ୟରେ ସହଜରେ ସଂକ୍ରମଣ କରିବାରେ ସାହାଯ୍ୟ କରିପାରେ, ଯାହା ଏକ ସମ୍ଭାବ୍ୟ ମହାମାରୀର ଆଶଙ୍କାକୁ ବଢ଼ାଉଛି।
ଆଇଆଇଏସ୍ସିର ଏହି ଗବେଷଣା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସଂସ୍ଥାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସତର୍କବାଣୀ ଭାବେ କାମ କରିପାରେ। ଗବେଷକମାନେ ଏହି ଭୂତାଣୁ ଉପରେ ନିୟମିତ ନଜର ରଖିବା ଏବଂ ଏହାର ସମ୍ଭାବ୍ୟ ବିପଦକୁ ରୋକିବା ପାଇଁ ପୂର୍ବ ପ୍ରସ୍ତୁତିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି।
