୫ ବର୍ଷ ପରେ ଚୀନ୍ ଲୋକଙ୍କ ପାଇଁ ଭାରତ ଆରମ୍ଭ କଲା ପର୍ଯ୍ୟଟନ ଭିସା
ନୂଆଦିଲ୍ଲୀ: ଦୀର୍ଘ ୫ ବର୍ଷର ଅପେକ୍ଷା ପରେ ଚୀନ୍ ନାଗରିକମାନେ ପୁନର୍ବାର ଭାରତ ଭ୍ରମଣ ପାଇଁ ପର୍ଯ୍ୟଟନ ଭିସା ପାଇପାରିବେ। ଭାରତ ସରକାର ଘୋଷଣା କରିଛନ୍ତି ଯେ, ଆଜିଠାରୁ ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବ। ବେଜିଂରେ ଥିବା ଭାରତୀୟ ଦୂତାବାସ ବୁଧବାର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛି।
୨୦୨୦ ମାର୍ଚ୍ଚରେ କୋଭିଡ୍-୧୯ ମହାମାରୀ ସମୟରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଭାରତ ସମସ୍ତ ପର୍ଯ୍ୟଟନ ଭିସା ସ୍ଥଗିତ ରଖିଥିଲା। ସେହି ସମୟରୁ ଚୀନ୍ ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ ରହିଥିଲା।
ଭାରତୀୟ ଦୂତାବାସ ଅନୁସାରେ, ଚୀନ୍ ନାଗରିକମାନେ ୨୪ ଜୁଲାଇ, ୨୦୨୫ଠାରୁ ପର୍ଯ୍ୟଟନ ଭିସା ପାଇଁ ଆବେଦନ କରିପାରିବେ। ସେମାନଙ୍କୁ ପ୍ରଥମେ ଅନଲାଇନ୍ ଭିସା ଆବେଦନ ଫର୍ମ ପୂରଣ କରି ଏହାର ପ୍ରିଣ୍ଟଆଉଟ୍ ନେବାକୁ ହେବ। ଏହାପରେ, ଭାରତୀୟ ଭିସା ଆବେଦନ କେନ୍ଦ୍ରରେ ନିଯୁକ୍ତି ନେଇ ପାସପୋର୍ଟ, ଆବେଦନ ପତ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହ ଆବେଦନ ଦାଖଲ କରିବାକୁ ହେବ।
ଏହି ନିଷ୍ପତ୍ତି ଭାରତ ଓ ଚୀନ୍ ମଧ୍ୟରେ ପର୍ଯ୍ୟଟନ ଓ ସାଂସ୍କୃତିକ ବିନିମୟକୁ ପ୍ରୋତ୍ସାହନ ଦେବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
