ଭିସୁଟ୍‌ କ୍ୟାମ୍ପସରେ ଅସଦାଚରଣ: ଦୁଇ ପ୍ରଫେସର ଚାକିରିରୁ ନିଲମ୍ବିତ

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ, ବୁର୍ଲାରେ ଅସଦାଚରଣ ଅଭିଯୋଗକୁ ନେଇ କର୍ତ୍ତୃପକ୍ଷ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ବୋର୍ଡ ଅଫ୍‌ ମ୍ୟାନେଜମେଣ୍ଟର ନିଷ୍ପତ୍ତି ଅନୁଯାୟୀ, ଦୁଇ ଜଣ ପ୍ରଫେସରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ପ୍ରଡକ୍ସନ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଦେବବ୍ରତ ଧୁପାଲ ଏବଂ ଗଣିତ ବିଭାଗର ଆସୋସିଏଟ୍‌ ପ୍ରଫେସର ଡ. ମହେନ୍ଦ୍ର କୁମାର ଜେନା।

ସୂଚନା ଅନୁସାରେ, ଗତ ମେ’ ମାସରେ ଗଣିତ ବିଭାଗର ଜଣେ ପିଏଚ୍‌ଡି ଛାତ୍ରୀ ତାଙ୍କ ଗାଇଡ୍‌ ତଥା ଆସୋସିଏଟ୍‌ ପ୍ରଫେସର
ଡ. ମହେନ୍ଦ୍ର କୁମାର ଜେନାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଅଭିଯୋଗ ପରେ ଭିସୁଟ୍‌ କର୍ତ୍ତୃପକ୍ଷ ପ୍ରାରମ୍ଭିକ ନିରବତା ପାଳନ କରିଥିଲେ ହେଁ, ପ୍ରାୟ ଦୁଇ ମାସ ପରେ ଜୁଲାଇ ମାସରେ ଡ. ଜେନାଙ୍କୁ ତାଙ୍କ ପକ୍ଷ ରଖିବା ପାଇଁ ଚିଠି ଜାରି କରାଯାଇଥିଲା। କିନ୍ତୁ ସେହି ସମୟରେ ଡ. ଜେନା ଅସୁସ୍ଥତା ଯୋଗୁଁ ବୁର୍ଲାସ୍ଥିତ ଏକ ନର୍ସିଂହୋମ୍‌ରେ ଭର୍ତ୍ତି ହୋଇଥିଲେ।

ଅନ୍ୟପକ୍ଷରେ, ପ୍ରଡକ୍ସନ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଦେବବ୍ରତ ଧୁପାଲଙ୍କ ବିରୋଧରେ ଜଣେ ଅସ୍ଥାୟୀ ମହିଳା ସହକର୍ମୀଙ୍କ ପ୍ରତି ଅସଦାଚରଣ ଅଭିଯୋଗ ଉଠିଥିଲା। ଏହି ଅଭିଯୋଗ ବହୁ ପୂର୍ବରୁ ଆସିଥିଲା, କିନ୍ତୁ ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମଦାହ ଘଟଣା ପରେ ଭିସୁଟ୍‌ର ଅନ୍ତରୀଣ ଅଭିଯୋଗ କମିଟି ଅଧିକ ସକ୍ରିୟ ହୋଇ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ରିପୋର୍ଟରେ ଉଭୟ ପ୍ରଫେସରଙ୍କ ବିରୋଧରେ ଅଭିଯୋଗ ସତ୍ୟ ମିଳିଥିଲା।

ବୋର୍ଡ ଅଫ୍‌ ମ୍ୟାନେଜମେଣ୍ଟର ବୈଠକରେ ଉଭୟଙ୍କ ତଦନ୍ତ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ବୈଠକରେ ପ୍ରଫେସର ଦେବବ୍ରତ ଧୁପାଲ ଏବଂ ଡ. ମହେନ୍ଦ୍ର କୁମାର ଜେନାଙ୍କୁ ଚାକିରିରୁ ନିଲମ୍ବନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହା ପରେ ଭିସୁଟ୍‌ କର୍ତ୍ତୃପକ୍ଷ ଉଭୟଙ୍କୁ ନିଲମ୍ବିତ କରିଛନ୍ତି। ତଦନ୍ତ ଆରମ୍ଭ ହେବା ପୂର୍ବରୁ ଉଭୟଙ୍କୁ ଗୁରୁତ୍ବପୂର୍ଣ୍ଣ ପଦପଦବୀ ଓ ଗାଇଡ୍‌ ଦାୟିତ୍ବରୁ ମଧ୍ୟ ମୁକ୍ତ କରାଯାଇଥିଲା।

ଏହି ଘଟଣା ଶିକ୍ଷାନୁଷ୍ଠାନରେ ଅସଦାଚରଣ ମାମଲାକୁ ନେଇ କର୍ତ୍ତୃପକ୍ଷର କଠୋର ଆଭିମୁଖ୍ୟକୁ ସୂଚାଇଛି। ଏହା ସହ କ୍ୟାମ୍ପସରେ ଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ଗୁରୁତ୍ଵ ଦିଆଯାଉଥିବାରୁ ଏହି ନିଷ୍ପତ୍ତିକୁ ଅନେକେ ସ୍ଵାଗତ କରିଛନ୍ତି।

Leave a Reply

Your email address will not be published. Required fields are marked *