ମନ୍ କୀ ବାତ୍‌ରେ ଓଡିଆ କାନୋଇଂ ଖେଳାଳି ରଶ୍ମିତା ସାହୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୨୫ ତମ ଏପିସୋଡ୍ ରେ ଓଡ଼ିଆ ଝିଅ ରଶ୍ମିତା ସାହୁଙ୍କୁ ସମ୍ମାନିତ କରାଯାଇଛି। ଜାତୀୟ କାନୋଇଂ ଖେଳାଳି ରଶ୍ମିତାଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କର ସଫଳତା ଓ ସଂଘର୍ଷକୁ ପ୍ରଶଂସା କରିଛନ୍ତି। ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଖେଳ କ୍ଷେତ୍ରରେ ଦେଶର ନାମ ଉଜ୍ଜ୍ୱଳ କରିଥିବାରୁ ପ୍ରଧାନମନ୍ତ୍ରୀ ରଶ୍ମିତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ପାଇଁ ମଙ୍ଗଳ କାମନା କରିଛନ୍ତି।

ରଶ୍ମିତା କଟକ ଜିଲ୍ଲାର ଯୋବ୍ରା ଅଞ୍ଚଳରେ ମହାନଦୀରେ ନୌକା ଚାଳନା ଏବଂ ସନ୍ତରଣ ଅଭ୍ୟାସ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ‘ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସ୍’ରେ ଭାଗ ନେଇ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ରଶ୍ମିତାଙ୍କୁ ନୂଆ ପ୍ରେରଣା ଯୋଗାଇଛି ଏବଂ ଓଡ଼ିଶାର ଯୁବପିଢ଼ିକୁ ପ୍ରୋତ୍ସାହିତ କରିଛି।

ଅନ୍ୟପକ୍ଷରେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ସହ ଶୁଣିଛନ୍ତି। ଭୁବନେଶ୍ୱରର ପଟିଆ ଶିଶୁ ବିହାର ପାର୍କରେ ଆୟୋଜିତ ଏକ ସାଧାରଣ ସମାବେଶରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ମନ୍ କୀ ବାତ୍ ଶୁଣିଥିଲେ। ଏଥିରେ ଏକାମ୍ର ବିଧାୟକ ବାବୁ ସିଂ, ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଶର ପ୍ରତ୍ୟେକ ନାଗରିକକୁ ପ୍ରେରଣା ଯୋଗାଉଛି ଏବଂ ଓଡ଼ିଶାର ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱରର ପଟିଆ ଶିଶୁ ବିହାର ପାର୍କରେ ସାଧାରଣ ଲୋକଙ୍କ ସହିତ ବସି ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। “ମନ୍ କି ବାତ୍” ପରେ ମୁଖ୍ୟମନ୍ତ୍ରୀ ନିଜର “ମନ୍ କଥା” କହିଲେ। ସେ କହିଲେ ପ୍ରାୟ ୮ ବର୍ଷ ସେଇଠି ରହୁଥିଲେ ଓ ଆଜି ପୁରୁଣା ଚିହ୍ନା ଲୋକଙ୍କୁ ଦେଖି ଅତ୍ୟନ୍ତ ଖୁସି ଲାଗିଛି। ସ୍ଥାନୀୟ ଲୋକଙ୍କ ସହ କଥା ହୋଇ, ଚନ୍ଦ୍ରଶେଖରପୁର ଅଞ୍ଚଳର ସମସ୍ୟାକୁ ସମାଧାନ କରିବାକୁ ସେ ପ୍ରତିଶ୍ରୁତି ଦେଲେ।

ଏହା ସହିତ ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ କଲେ। ଏଥିରେ “ଆମ ବସ୍” ପାଇଁ ହ୍ୱାଟସ୍‌ଆପ୍ ଆଧାରିତ ଟିକେଟ୍ ବୁକିଂ, ଜାତୀୟ ଏକକ ଗମନାଗମନ କାର୍ଡର ଲୋକାର୍ପଣ, “ସହଯୋଗ” ଅଭିଯାନର ଶୁଭାରମ୍ଭ, ସୁଲଭ ଆବାସ ବଣ୍ଟନ, “ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା” ର ଲୋଗୋ ଉନ୍ମୋଚନ ସହିତ ୪୩ଟି ବହୁମୁଖୀ ଭବନର ଉଦ୍‌ଘାଟନ ମୁଖ୍ୟ।

Leave a Reply

Your email address will not be published. Required fields are marked *