ଆଉ ଚଳିବନି ମନମାନି, ଏଥର ଦିଲ୍ଲୀରୁ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ: ଓଡ଼ିଶାରେ କଂଗ୍ରେସ ଦଳକୁ ସଶକ୍ତ କରିବା ପାଇଁ ଦିଲ୍ଲୀରେ ଅନୁଷ୍ଠିତ ହେବ ଏକ ମହତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନେତୃତ୍ୱ ନେବେ।

କଂଗ୍ରେସ ସଭାପତି ମଳିକାର୍ଜୁନ ଖର୍ଗେ, ସଂଗଠନ ସମ୍ପାଦକ କେ. ସି. ଭେନୁଗୋପାଳ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏବଂ ଓଡ଼ିଶା ପ୍ରଭାରୀ ଅଜୟ ଲଲୁ ଏହି ବୈଠକରେ ଉପସ୍ଥିତ ରହିବେ। ଏହା ସହିତ ସଙ୍ଗଠନର ୩୫ ଜଣ ସଦସ୍ୟ ମଧ୍ୟ ବୈଠକରେ ସାମିଲ ହେବେ।

ବୈଠକରେ ଓଡ଼ିଶାରେ କଂଗ୍ରେସର ସଙ୍ଗଠନ ସଂରଚନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ଏହାପରେ ଜିଲ୍ଲା ସଭାପତି ମନୋନୟନ ପାଇଁ ଦିଲ୍ଲୀରୁ ବରିଷ୍ଠ ନେତାମାନେ ଖୁବଶୀଘ୍ର ଓଡ଼ିଶା ଆସିବେ।

ସୂଚନା ଅନୁଯାୟୀ, ଏଥର ଜିଲ୍ଲା ସଭାପତି ଚୟନରେ ସୁପାରିଶ ବ୍ୟବସ୍ଥା ଉପରେ ନିର୍ଭର କରାଯିବ ନାହିଁ। ବରିଷ୍ଠ ନେତାମାନେ ସିଧାସଳଖ ଓଡ଼ିଶା ଆସି ସଙ୍ଗଠନର ମୂଳସ୍ତରରୁ ନେତା ଚୟନ କରିବେ, ଯାହା ଦଳରେ ନୂଆ ଉତ୍ସାହ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ଏହି ବୈଠକ ଓଡ଼ିଶାରେ କଂଗ୍ରେସର ସଙ୍ଗଠନକୁ ମଜବୁତ କରିବା ସହ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ପ୍ରୟାସ ଓଡ଼ିଶାରେ ଦଳର ସ୍ଥିତିକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

Leave a Reply

Your email address will not be published. Required fields are marked *