ଓଡ଼ିଶାରେ ଲଗାଣ ବର୍ଷା ଜାରି, ଆଉ ଦୁଇ ଦିନ ପାଇଁ ସତର୍କ ସୂଚନା ଜାରି କଲା ଆଇଏମଡି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଦକ୍ଷିଣ ଆନ୍ଧ୍ରପ୍ରଦେଶ-ଉତ୍ତର ତାମିଲନାଡୁ ଉପକୂଳ ନିକଟରେ ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଶକ୍ତିଶାଳୀ ଲଘୁଚାପ ପ୍ରଭାବରେ ଏହି ବର୍ଷା ହେଉଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏହି ସିଷ୍ଟମ୍ ଦୁର୍ବଳ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆଇଏମଡିର ସୂଚନା ଅନୁଯାୟୀ, ଖୋର୍ଦ୍ଧା ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇଥିବା ବେଳେ ଓଡ଼ିଶାର ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି ।
୨୬ ଡିସେମ୍ବର ୨୦୨୪: ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଗଞ୍ଜାମ, ରାୟଗଡ଼ା, ପୁରୀ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
୨୭ ଡିସେମ୍ବର ୨୦୨୪: ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।
ଏହି ପାଣିପାଗ ଯୋଗୁଁ ଚାଷୀ ଓ ସ୍ଥାନୀୟ ବାସିନ୍ଦା ପ୍ରଭାବିତ ହୋଇଛନ୍ତି। ସମସ୍ତଙ୍କୁ ସତର୍କ ରହିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।