ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ଚାଲିଥିବା ବିବାଦର ଏଭଳି ନିଷ୍ପତି ନେଲା ଆଇସିସି

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ଲାଗି ରହିଥିବା ବିବାଦର ଘଟିଲା ଅନ୍ତ। ଶେଷରେ ହାଇବ୍ରିଡ ମଡେଲରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳାଯିବ ବୋଲି ନିଷ୍ପତି ହୋଇଛି। ଏ ନେଇ ଗୁରୁବାର ସ୍ପଷ୍ଟ କରିଛି ଆଇସିସି। କେବଳ ଏତିକି ନୁହେଁ ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୨୪ରୁ ୨୦୨୭ ପର୍ଯ୍ୟନ୍ତ ହେବାକୁ ଥିବା ଆଇସିସି ମୁକାବିଲା ନିରପେକ୍ଷ ସ୍ଥାନରେ ଖେଳାଯିବ।
ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଗୁରୁବାର ହାଇବ୍ରିଡ ମଡେଲ ଉପରେ ମୋହର ମାରିଛି। ଫଳରେ ଆସନ୍ତାବର୍ଷ ପାକିସ୍ତାନରେ ଖେଳା ଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳ ନିଜର ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳିବ। ୨୦୨୭ ପର୍ଯ୍ୟନ୍ତ ଆଇସିସିର କୌଣସି ବି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମୁକାବିଲା ନିରପେକ୍ଷ ସ୍ଥାନରେ ଖେଳାଯିବ। ଆଗାମୀ କିଛି ବର୍ଷରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ତିନି ଥର ମୁହାଁମୁହିଁ ହେବେ। ଆସନ୍ତାବର୍ଷ ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ଓ ମାର୍ଚ୍ଚରେ ପାକିସ୍ତାନରେ ଖେଳାଯିବ। ପୁଣି ୨୦୨୫ରେ ଆଇସିସି ମହିଳା କ୍ରିକେଟ୍ ବିଶ୍ଵକପ୍ ଭାରତରେ ଖେଳାଯିବ। ୨୦୨୬ରେ ଆଇସିସି ପୁରୁଷ ଟି-୨୦ ବିଶ୍ଵକପ୍ ଭାରତ ଓ ଶ୍ରୀଲଙ୍କାର ମିଳିତ ଆନୁକୂଲ୍ୟରେ ଖେଳାଯିବ।
ଆଇସିସି ଅନୁଯାୟୀ, ମହିଳା ଟି-୨୦ ବିଶ୍ଵକପ୍ ୨୦୨୮ ପାକିସ୍ତାନରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟ ହାଇବ୍ରିଡ ମଡେଲରେ ଖେଳାଯିବ। ପାକିସ୍ତାନକୁ ଆୟୋଜନ ଅଧିକାର ମିଳିଥିବା ବେଳେ ଭାରତ ନିଜର ମ୍ୟାଚ୍ ପାକିସ୍ତାନରେ ଖେଳିବ ନାହିଁ।