ବିଧାନସଭା ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ୍ ଅଫିସର ସତ୍ୟବ୍ରତ ରାଉତ

ଭୁବନେଶ୍ୱର: ଆଇଏଏସ୍ ଅଫିସର ସତ୍ୟବ୍ରତ ରାଉତଙ୍କୁ ବିଧାନସଭାର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
୨୦୧୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶ୍ରୀ ରାଉତ ପୂର୍ବରୁ ଓଡ଼ିଶାରେ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ। ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ସତ୍ୟବ୍ରତ ରାଉତଙ୍କୁ ଓଡ଼ିଶା ବିଧାନସଭାର ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଫେବ୍ରୁଆରି ୧୩ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଫେବ୍ରୁଆରି ୨୦ ଓ ୨୧ ତାରିଖରେ ରାଜ୍ୟ ବଜେଟ୍ ଉପରେ ସାଧାରଣ ଆଲୋଚନା ଗୃହରେ ଅନୁଷ୍ଠିତ ହେବ। ଆସନ୍ତା ୨୯ ତାରିଖରେ ବିନିଯୋଗ ବିଲ୍ ଆଗତ ହେବ। ବିଧାନସଭାର ବଜେଟ୍ ଅଧିବେଶନ ଏପ୍ରିଲ ୫ରେ ଶେଷ ହେବ।