ଆୟୁଷ୍ମାନ କାର୍ଡ ହଜିଗଲେ ଚିକିତ୍ସା ମିଳିବ ନା ନାହିଁ? ଆପଣ ଜାଣିଛନ୍ତି କି?
ଭୁବନେଶ୍ୱର: ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ ଦେଶର ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପ୍ରଦାନ କରାଯାଉଛି। ଏହି ଯୋଜନାରେ ଆୟୁଷ୍ମାନ କାର୍ଡ ଜାରି କରାଯାଇ ସରକାରୀ ଓ ଯୋଜନା ଅନୁସାରେ ଘରୋଇ ହସ୍ପିଟାଲମାନଙ୍କରେ ମାଗଣା ଚିକିତ୍ସା ସୁବିଧା ଦିଆଯାଉଛି। କିନ୍ତୁ ଅନେକ ସମୟରେ ଲୋକଙ୍କର ଆୟୁଷ୍ମାନ କାର୍ଡ ହଜିଯାଇଥାଏ, ଯାହା ଫଳରେ ସେମାନେ ଚିନ୍ତାରେ ପଡ଼ିଯାଆନ୍ତି। ତେବେ ଆୟୁଷ୍ମାନ କାର୍ଡ ହଜିଗଲେ ମଧ୍ୟ ମାଗଣା ଚିକିତ୍ସା ମିଳିପାରିବ। ଆସନ୍ତୁ ଜାଣିବା ଏହାର ପ୍ରକ୍ରିୟା ଓ କଣ ଡକ୍ୟୁମେଣ୍ଟ ଆବଶ୍ୟକ ହୋଇଥାଏ?
ଯଦି ଆପଣଙ୍କର ଆୟୁଷ୍ମାନ କାର୍ଡ ହଜିଯାଇଛି, ତେବେ ଆପଣଙ୍କୁ ହସ୍ପିଟାଲରେ ଥିବା ଆୟୁଷ୍ମାନ ମିତ୍ର ହେଲ୍ପ ଡେସ୍କକୁ ଯିବାକୁ ପଡ଼ିବ। ଏହି ହେଲ୍ପ ଡେସ୍କ ଆୟୁଷ୍ମାନ ଯୋଜନା ଅନୁସାରେ ସମସ୍ତ ହସ୍ପିଟାଲରେ ଉପଲବ୍ଧ। ଏଠାରେ ଆପଣଙ୍କୁ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ସରକାରୀ ମାନ୍ୟତାପ୍ରାପ୍ତ ପରିଚୟପତ୍ର ଯେପରି ଭୋଟର ଆଇଡି, ପାନ କାର୍ଡ କିମ୍ବା ଡ୍ରାଇଭିଂ ଲାଇସେନ୍ସ ଦେଖାଇବାକୁ ପଡ଼ିବ। ହସ୍ପିଟାଲ ଆପଣଙ୍କ ନାମ ଓ ପରିଚୟକୁ ଅନଲାଇନ ସିଷ୍ଟମ ମାଧ୍ୟମରେ ଯାଞ୍ଚ କରି ନିଶ୍ଚିତ କରିବ ଯେ ଆପଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି କି ନାହିଁ। ଏହା ପରେ ଆପଣ ମାଗଣା ଚିକିତ୍ସା ସୁବିଧାର ଲାଭ ଉଠାଇ ପାରିବେ।
ଯଦି ଆପଣ ହଜିଯାଇଥିବା ଆୟୁଷ୍ମାନ କାର୍ଡର ନୂଆ କପି ପାଇବାକୁ ଚାହାଁନ୍ତି, ତେବେ ଆପଣ ନିକଟସ୍ଥ କମନ ସର୍ଭିସ ସେଣ୍ଟର କିମ୍ବା ଜନସେବା କେନ୍ଦ୍ରକୁ ଯାଇପାରିବେ। ସେଠାରେ ଆପଣଙ୍କ ଆଧାର କାର୍ଡ ଓ ମୋବାଇଲ ନମ୍ବର ମାଧ୍ୟମରେ ଆପଣଙ୍କ ତଥ୍ୟ ଯାଞ୍ଚ କରାଯିବ ଏବଂ ତୁରନ୍ତ ନୂଆ ଆୟୁଷ୍ମାନ କାର୍ଡ ପ୍ରିଣ୍ଟ କରାଯାଇ ଆପଣଙ୍କୁ ପ୍ରଦାନ କରାଯିବ। ଏହା ବ୍ୟତୀତ, ଆପଣ ଆୟୁଷ୍ମାନ ଆପ୍ଲିକେସନ କିମ୍ବା ଅଫିସିଆଲ ୱେବସାଇଟ beneficiary.nha.gov.in ମାଧ୍ୟମରେ ମଧ୍ୟ ନୂଆ କାର୍ଡ ଡାଉନଲୋଡ କରିପାରିବେ
ଯଦି କୌଣସି ହସ୍ପିଟାଲ ଆୟୁଷ୍ମାନ କାର୍ଡ ହଜିଯିବା କାରଣରୁ ଚିକିତ୍ସା ଦେବାକୁ ମନା କରୁଛି, ତେବେ ଆପଣ ଆୟୁଷ୍ମାନ ଯୋଜନାର ହେଲ୍ପଲାଇନ ନମ୍ବର ୧୪୫୫୫ରେ ଅଭିଯୋଗ ଦାୟର କରିପାରିବେ। ଏହା ବ୍ୟତୀତ, ଆୟୁଷ୍ମାନ ଭାରତ ଯୋଜନାର ଅଫିସିଆଲ ୱେବସାଇଟ pmjay.gov.in ମାଧ୍ୟମରେ ମଧ୍ୟ ଅଭିଯୋଗ ଦାୟର କରାଯାଇପାରିବ। ଆୟୁଷ୍ମାନ କାର୍ଡ ବିନା ଚିକିତ୍ସା ପାଇଁ ଆଧାର କାର୍ଡ,ଭୋଟର ଆଇଡି, ପାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ କିମ୍ବା ଅନ୍ୟ କୌଣସି ସରକାରୀ ମାନ୍ୟତାପ୍ରାପ୍ତ ପରିଚୟପତ୍ର,ରାସନ କାର୍ଡ ଥାଏ ତେବେ ଏହିସବୁ ଡକୁମେଣ୍ଟ ଆବଶ୍ୟକତା ରହିଛି | |
ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ, ବ୍ୟକ୍ତି ଓ ତାଙ୍କ ପରିବାର ପ୍ରତି ବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ। ଏହା କ୍ୟାନସର, ହୃଦରୋଗ, କିଡନୀ ରୋଗ, ମୋତିଆବିନ୍ଦୁ ଭଳି ଗୁରୁତର ରୋଗର ଚିକିତ୍ସାକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ଏହି ଯୋଜନାରେ କ୍ୟାଶଲେସ ଓ ପେପରଲେସ ଚିକିତ୍ସା ସୁବିଧା ମିଳିଥାଏ, ଯାହା ଦ୍ୱାରା ଆର୍ଥିକ ବୋଝ ନପଡ଼ି ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ମିଳିପାରେ|
