ସୁରକ୍ଷାବାହିନୀ ଗୁପ୍ତଚରମାନଙ୍କୁ କିପରି ଧରାଯାଏ? କଣ ମିଳେ ଦଣ୍ଡ?
ନୂଆଦିଲ୍ଲୀ: କିଛିଦିନତଳେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଦିଲ୍ଲୀରୁ ଜଣେ ସିଆରପିଏଫ ଯବାନଙ୍କୁ ଗିରଫ କରିଥିଲା। ରିପୋର୍ଟ ଅନୁସାରେ, ଯବାନ ଜଣକ ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ପଠାଇବା ପାଇଁ ଟଙ୍କା ପାଉଥିଲେ। ସେ ଏହି କାମ ପାଇଁ ସୋସିଆଲ ମିଡିଆ ବ୍ୟବହାର କରିଥିଲେ। ମିଳିଥିବା ସୂଚନା ମୁତାବକ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଗୁପ୍ତଚର ଅଭିଯୋଗରେ ସିଆରପିଏଫ ଯବାନ ମୋତି ରାମ ଜାଟଙ୍କୁ ଗିରଫ କରିଲା। ସୂଚନା ଅନୁଯାୟୀ ସୈନିକ ଜଣଙ୍କ ପାକିସ୍ତାନୀ ଅଧିକାରୀଙ୍କ ସହିତ ନିରନ୍ତର ଯୋଗାଯୋଗରେ ଥିଲେ ଏବଂ ଭାରତର ଅନେକ ଗୁପ୍ତ ସୂଚନା ସେମାନଙ୍କୁ ପ୍ରଦାନ କରିବାକୁ କାମ କରୁଥିଲେ।
ସୁରକ୍ଷା ବାହିନୀର ଗୁପ୍ତଚରମାନଙ୍କୁ କିପରି ଧରାଯାଏ?
ଏପରି ଗୁପ୍ତଚରମାନଙ୍କୁ ଧରିବା ପାଇଁ, ସେନା ଏବଂ ସୁରକ୍ଷା ବାହିନୀରେ ଏକ ଭିନ୍ନ ସାଇବର ସେଲ୍ ଗଠନ କରାଯାଇଛି । ଏହି ସେଲର କାମ ହେଉଛି ସେନାରେ କାର୍ଯ୍ୟରତ ସୈନିକ ଏବଂ ଅଧିକାରୀଙ୍କ ଉପରେ ନଜର ରଖିବା। ଯଦି କେହି ସୋସିଆଲ ମିଡିଆରେ କିଛି ପୋଷ୍ଟ କରିଛନ୍ତି କିମ୍ବା ଫୋନରେ କିଛି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିବାକୁ ମିଳେ , ତେବେ ସେହି ବ୍ୟକ୍ତିଙ୍କ ଟ୍ରାକିଂ ଆରମ୍ଭ କରାଯାଏ। ଆବଶ୍ୟକ ହେଲେ, ଫୋନ୍ ମଧ୍ୟ ଟ୍ରାକ୍ କରାଯାଏ ଏବଂ ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ଯାଏ |
ତେବେ ଦଣ୍ଡ କ’ଣ ଦିଆଯାଏ?
ସେନା କିମ୍ବା ଅର୍ଦ୍ଧସାମରିକ ବାହିନୀର ଏପରି ଗୁପ୍ତଚର ସୈନିକ କିମ୍ବା ଅଧିକାରୀମାନଙ୍କୁ ପ୍ରଥମେ ସେନା ପୋଲିସ ଗିରଫ କରିଥାଏ ଏବଂ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରିଥାଏ। ସାଧାରଣତଃ ଏପରି ମାମଲାଗୁଡ଼ିକର ତଦନ୍ତ ଏନଆଇଏ ଦ୍ୱାରା କରାଯାଏ। ଏପରି ସୈନିକମାନଙ୍କୁ ତୁରନ୍ତ ନିଲମ୍ବିତ କରାଯାଏ ଏବଂ ସେମାନଙ୍କୁ ଆଉ କୌଣସି ସୁବିଧା କିମ୍ବା ପେନସନ ମିଳେ ନାହିଁ। ଏପରି ସମସ୍ତ ମାମଲା ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ୧୯୨୩ ଅଧୀନରେ ଆସେ। କିନ୍ତୁ, ସେନା କ୍ଷେତ୍ରରେ, ଏହି ଅନୁଯାୟୀ ମାମଲା ଦାୟର କରିବା ପୂର୍ବରୁ ସେନାଠାରୁ ଏନଓସି ନିଆଯାଇଥାଏ।
ଗୁପ୍ତଚରର ଏପରି ମାମଲାରେ, ବିଏନଏସର ଧାରା ୧୫୨, ୧୪୭ ଏବଂ ୧୪୮ ମଧ୍ୟ ଲାଗୁ କରାଯାଏ। ଦେଶ ସହିତ ବିଶ୍ୱାସଘାତକତା କରୁଥିବା ଲୋକଙ୍କୁ ଏହି ଧାରା ଅନୁଯାୟୀ ଦଣ୍ଡ ଦିଆଯାଏ। ଯଦି ଅଭିଯୋଗ ପ୍ରମାଣିତ ହୁଏ, ତେବେ ଏପରି ମାମଲାରେ ଦଣ୍ଡ ଅତି କମରେ ତିନି ବର୍ଷ କିମ୍ବା ଆଜୀବନ କାରାଦଣ୍ଡ ହୋଇପାରେ।
