ଟ୍ରେନରେ ଚା’ ବିକ୍ରେତାଙ୍କ ଗୁଜବ ପାଇଁ ରେଳଧାରଣାରେ ବିଛେଇ ହୋଇଗଲା ଶବ!

ମୁମ୍ବାଇ: ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାର ପରଣ୍ଡା ରେଳ ଷ୍ଟେସନରେ ବୁଧବାର ଏକ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ୧୩ ଜଣଙ୍କ ମଧ୍ୟରୁ ୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ୩ ଜଣଙ୍କ ମୃତଦେହ ସମ୍ପୂର୍ଣ୍ଣ କଟିଯାଇଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କ ପରିଚୟ ମିଳିପାରିନାହିଁ। ଶରୀରର କିଛି ମୁଣ୍ଡ ଓ ଶରୀରର ଅନ୍ୟeନ୍ୟ ଅଙ୍ଗ ନଥିବାରୁ କିଛି ମୃତକଙ୍କ ପରିଚୟରେ ବାଧା ଉପୁଜୁଛି।

ଜଳଗାଓଁ ଜିଲ୍ଲାର ଟ୍ରେନ୍ ଦୁର୍ଘଟଣା ସଂକ୍ରାନ୍ତରେ ପଚୋରା ଥାନାରେ ଏକ ମାମଲା ରୁଜୁ ହୋଇଛି। ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ପଚୋରା ସିଟି ଥାନାରେ ରୁଜୁ ହୋଇଛି। ପଚୋରା ଥାନାର ଜଣେ ପୁଲିସ ସବ୍ ଇନ୍ସପେକ୍ଟରଙ୍କ ଅଭିଯୋଗ କ୍ରମେ ଏହି ମାମଲା ରୁଜୁ ହୋଇଛି।

ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ୨ ଜଣ ଚା’ ବିକ୍ରେତାଙ୍କ ଗୁଜବ ଯୋଗୁଁ ଏହି ଘଟଣା ଘଟିଛି। ମହାରାଷ୍ଟ୍ର ସରକାର ମଧ୍ୟ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛନ୍ତି ବୋଲି ପୁଲିସ କହିଛି। ରେଳବାଇ ପୁଲିସ ସହ ଏବେ ମହାରାଷ୍ଟ୍ର ପୁଲିସ ମଧ୍ୟ ଏହି ରେଳ ଦୁର୍ଘଟଣାର ତଦନ୍ତ କରିବ। ରେଳବାଇ ବୋର୍ଡ ମୃତକଙ୍କ ପରିବାରକୁ ଦେଢ଼ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛି।

ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାରେ ଏକ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି ବୋଲି ଶୁଣିବାକୁ ପାଇଲେ ଯାତ୍ରୀ । ୧୨୫୩୩ ଲକ୍ଷ୍ନୌ-ମୁମ୍ବାଇ ପୁଷ୍ପକ ଏକ୍ସପ୍ରେସରେ ଥିବା ଯାତ୍ରୀମାନେ ଏହା ଶୁଣି ନିଆଁ ଭୟରେ ତରବରିଆ ଭାବେ ନିକଟବର୍ତ୍ତୀ ରେଳ ଧାରଣା ଉପରକୁ ଡେଇଁ ପଡ଼ିଥିଲେ । କିନ୍ତୁ ବୀପରିତ ଦିଗରେ ଆସୁଥିବା ଟ୍ରେନଟି ମାଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ସେଣ୍ଟ୍ରାଲ ସର୍କଲର ରେଳ ସୁରକ୍ଷା କମିଶନର (ସିଆରଏସ) ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ସୂଚନା ଅନୁଯାୟୀ, ପୁଷ୍ପକ ଏକ୍ସପ୍ରେସର କୋଚ୍ ରେ ଗରମ ଆକ୍ସଲ ବା ବ୍ରେକ୍ ବାଇଣ୍ଡିଂ କାରଣରୁ ଧୂଆଁ ବାହାରିଥିଲା । ଏହାପରେ ଯାତ୍ରୀଙ୍କ ମଧ୍ୟରେ ନିଆଁ ଲାଗିଯାଇଥିବା ନେଇ ଆତଙ୍କ ଖେଳିଯାଇଥିଲା।

Leave a Reply

Your email address will not be published. Required fields are marked *