ସମ୍ପର୍କରେ ଦେଲେ ବିଷ:୪୦ଲକ୍ଷ ଲୁଟି ହୋଟେଲ ମାଲିକ ଗିରଫ
କଟକ: କଟକର ତ୍ରିଶୂଳିଆସ୍ଥିତ ‘ରୁଫ୍ ଟପ୍ ଲଣ୍ଡନ’ ହୋଟେଲ୍ର ମାଲିକ ଦୀପକ ବାରିକଙ୍କୁ ମଧୁପାଟଣା ଥାନା ପୁଲିସ ଗିରଫ କରିଛି। ସେ ଜଣେ ୩୯ ବର୍ଷୀୟା ମହିଳା ସରକାରୀ କର୍ମଚାରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ସହ ତାଙ୍କଠାରୁ ୪୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଟଙ୍କା ଫେରସ୍ତ ମାଗିବାରୁ ଦୀପକ ମହିଳାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା ସଙ୍ଗୀନ ଅଭିଯୋଗ ମଧୁପାଟଣା ଥାନାରେ ରୁଜୁ ହୋଇଛି।
ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାର ଏହି ମହିଳା କଟକର ଏକ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରନ୍ତି ଏବଂ ସିଡିଏ ସେକ୍ଟର-୬ରେ ଭଡ଼ା ଘରେ ରହୁଛନ୍ତି। ୨୦୧୯ରେ ମଧୁପାଟଣା ଥାନା ଅନ୍ତର୍ଗତ ସାର୍ତ୍ତୋଳର ଦୀପକ ବାରିକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀପକ ତାଙ୍କୁ ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ରଖିବା ସହ ବିଭିନ୍ନ ପର୍ଯ୍ୟାୟରେ ୪୦ ଲକ୍ଷ ଟଙ୍କା ନେଇଥିଲେ। ଏହି ଟଙ୍କା ମହିଳା ନିଜ ଜମି ବିକ୍ରି କରି ଏବଂ ବ୍ୟାଙ୍କ ଋଣ ନେଇ ଦେଇଥିଲେ।
ଟଙ୍କା ନେବା ପରେ ଦୀପକ ମହିଳାଙ୍କୁ ଏଡ଼ାଇବା ଆରମ୍ଭ କରିଥିଲେ। ବାରମ୍ବାର ଟଙ୍କା ଫେରସ୍ତ ମାଗିବାରୁ ଦୀପକ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଗତ ମାସରେ ମହିଳା ଦୀପକଙ୍କ ସାର୍ତ୍ତୋଳସ୍ଥିତ ଘରକୁ ଟଙ୍କା ମାଗିବାକୁ ଯାଇଥିବା ବେଳେ ଦୀପକ ତାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ଏ ନେଇ ମହିଳା ଗତ ୩ ତାରିଖରେ ମଧୁପାଟଣା ଥାନାରେ ଏତଲା ଦେଇଥିଲେ।
ପୁଲିସ ତଦନ୍ତ ସମୟରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଦୀପକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବାର ପ୍ରମାଣ ମିଳିଛି। ସାର୍ତ୍ତୋଳର କିଛି ସାକ୍ଷୀ ମଧ୍ୟ ହତ୍ୟା ଉଦ୍ୟମ ଘଟଣା ସମ୍ପର୍କରେ ପୁଲିସକୁ ବୟାନ ଦେଇଛନ୍ତି। ଆଜି ତ୍ରିଶୂଳିଆରେ ଥିବା ‘ରୁଫ୍ ଟପ୍ ଲଣ୍ଡନ’ ହୋଟେଲ୍ରେ ଚଢ଼ଉ କରି ପୁଲିସ ଦୀପକ ବାରିକଙ୍କୁ ଗିରଫ କରିଛି।ମହିଳାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି। ମଧୁପାଟଣା ଥାନା ପୁଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି |
