ହଷ୍ଟେଲ୍‌ ରୁମ୍‌ ବିକ୍ରି: ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଦଖଲ!

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ବାଣୀବିହାର କ୍ୟାମ୍ପସ୍‌ରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ରୁମ୍‌ଗୁଡ଼ିକ ଅଣଛାତ୍ରଙ୍କୁ ବର୍ଷକୁ ୫୦ ହଜାର ଟଙ୍କା ଭଡ଼ାରେ ବିକ୍ରି କରାଯାଉଥିବା ଅଭିଯୋଗ ଉଠିଛି। ଏହି ରୁମ୍‌ଗୁଡ଼ିକରେ ଖଟିଆ, ମାଗଣା ଲାଇଟ୍‌, ଫ୍ୟାନ୍‌, ରୋଷେଇ କରିବାର ସୁବିଧା ସହ ସୁରକ୍ଷା କର୍ମୀ ଓ ସିସିଟିଭି ବ୍ୟବସ୍ଥା ରହିଛି।

ଅନୁସନ୍ଧାନରୁ ଜଣାଯାଇଛି ଯେ, ଜଣେ ଛାତ୍ର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବର୍ଷକୁ ୧୨ ହଜାର ଟଙ୍କା (ମାସକୁ ୧ ହଜାର) ଦେଇ ହଷ୍ଟେଲ ରୁମ୍‌ ପାଇଥାନ୍ତି। କିନ୍ତୁ ସେ ନିଜେ କ୍ୟାମ୍ପସ୍‌ରେ ରହୁନଥିବା ବେଳେ ଏହି ରୁମ୍‌କୁ ଅଣଛାତ୍ରଙ୍କୁ ବର୍ଷକୁ ୫୦ ହଜାର ଟଙ୍କାରେ ଭଡ଼ାକୁ ଦେଇ ବାର୍ଷିକ ୩୮ ହଜାର ଟଙ୍କା ଲାଭ କରୁଛନ୍ତି। ଏକ ନୁହେଁ, ଶତାଧିକ ଛାତ୍ର ଏହିଭଳି ଅବୈଧ ବ୍ୟବସାୟରେ ଲିପ୍ତ ଥିବା ଜଣାପଡ଼ିଛି।

ଅନୁଧ୍ୟାନରୁ ଜଣାଯାଇଛି ଯେ, ଏକ ନମ୍ବର ଛାତ୍ରାବାସରେ ୧୯ଟି, ଦୁଇ ନମ୍ବର ଛାତ୍ରାବାସରେ ୩୧ଟି ଏବଂ ତିନି ନମ୍ବର ଛାତ୍ରାବାସରେ ପାଖାପାଖି ୮୦ଟି ରୁମ୍‌ ଅଣଛାତ୍ରଙ୍କ ଅକ୍ତିଆରରେ ରହିଛି। ଚିନ୍ତାର ବିଷୟ ହେଉଛି, ଏହି ଅଣଛାତ୍ରଙ୍କ ମଧ୍ୟରେ ବିଜେଡି, ବିଜେପି, କଂଗ୍ରେସ ଏବଂ ଏବିଭିପି ସଂଗଠନର କେତେକ ଛାତ୍ରନେତା ମଧ୍ୟ ସାମିଲ ଅଛନ୍ତି। ଏମାନେ ହଷ୍ଟେଲ ରୁମ୍‌ଗୁଡ଼ିକୁ ଦଖଲ କରି ନିଜର ପତିଆରା ଜାହିର କରୁଛନ୍ତି।

 

Leave a Reply

Your email address will not be published. Required fields are marked *