HMPV ଚୀନରେ ସ୍ଥିତି ବିଗିଡ଼ିଲା: ଉହାନରେ ସ୍କୁଲବନ୍ଦ, ରିପୋର୍ଟ ମାଗିଲା ଡବ୍ଲୁଏଚ୍ଓ

ବେଜିଂ: ଚୀନରେ ହ୍ୟୁମାନ ମେଟାପ୍ୟୁମୋଭାଇରସ୍ (ଏଚ୍ଏମପିଭି) ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ବିଶ୍ୱବ୍ୟାପୀ ଚିନ୍ତା ବଢ଼ୁଛି। ଉହାନରେ ସ୍କୁଲବନ୍ଦ କରାଯାଇଛି ଏବଂ ଗତ ୧୦ ଦିନ ମଧ୍ୟରେ ଏଚଏମପିଭି ମାମଲା ୫୨୯% ବୃଦ୍ଧି ପାଇଛି ।

ଚୀନରେ ଔଷଧର ଅଭାବ ଦେଖାଦେଇଛି ଏବଂ କଳାବଜାର ଆରମ୍ଭ ହୋଇଛି, ଯେଉଁଠାରେ ଏହି ଔଷଧ ୪୧ ଡଲାର ପର୍ଯ୍ୟନ୍ତ ବିକ୍ରି ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଚୀନଠାରୁ ଏଚଏମପିଭି ବିଷୟରେ ବିସ୍ତୃତ ସୂଚନା ମାଗିଛି ।

ଭାରତ, ମାଲେସିଆ, ଜାପାନ ଏବଂ କାଜାଖସ୍ତାନ ଭଳି ଦେଶରେ ମଧ୍ୟ ଏଚଏମପିଭିର ପ୍ରସାର ଦେଖିବାକୁ ମିଳୁଛି । ସ୍ପେନରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି, ଯେଉଁଠାରେ ଡାକ୍ତରଖାନା ବାହାରେ ରୋଗୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ଆଲିକାଣ୍ଟେରେ ୬୦୦ରୁ ଅଧିକ ‘ଇନଫ୍ଲୁଏଞ୍ଜା ଏ’ ମାମଲା ସାମ୍ନାକୁ ଆସିଛି।

ବର୍ତ୍ତମାନ ସୁଦ୍ଧା ଭାରତର ୫ଟି ରାଜ୍ୟରୁ ୮ଟି ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ୨ ଜଣ ଶିଶୁ ସଂକ୍ରମିତ ହୋଇଥିବା ବେଳେ କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ ଓ ପଶ୍ଚିମବଙ୍ଗରେ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସରକାର ସତର୍କ ଅଛନ୍ତି ଏବଂ ରାଜ୍ୟମାନଙ୍କ ସହ ନିୟମିତ ବୈଠକ କରୁଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ସହ ଭର୍ଚୁଆଲ୍ ବୈଠକ କରିଛନ୍ତି। ଇନଫ୍ଲୁଏଞ୍ଜା ଭଳି ରୋଗ ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟା ଉପରେ ନଜର ରଖିବା ଏବଂ ଏଚଏମପିଭି ପ୍ରତିରୋଧ ବିଷୟରେ ସଚେତନତା ସୃଷ୍ଟି କରିବାକୁ ସରକାର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *