ରଣଜୀରେ ବି ହିଟ୍ ମ୍ୟାନଙ୍କ ଫ୍ଲପ ଶୋ, ବିପଦରେ ଟେଷ୍ଟ କ୍ୟାରିଅର!

ନୂଆଦିଲ୍ଲୀ: ରୋହିତ ଶର୍ମା ଟେଷ୍ଟ କ୍ରିକେଟରେ ଲଗାତାର ସଂଘର୍ଷ କରୁଛନ୍ତି। ଗତ ୧୫ ଟି ଟେଷ୍ଟ ଇନିଂସରେ ସେ ୧୦.୯୩ ହାରରେ ମାତ୍ର ୧୬୪ ରନ୍ କରିଛନ୍ତି। ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖରାପ ପ୍ରଦର୍ଶନ ପରେ ତାଙ୍କର କ୍ୟାରିଅର ଉପରେ ପ୍ରଶ୍ନ ଉଠିଛି। ଏହାପରେ ସେ ନିଜର ଫର୍ମ ଫେରିପାଇବା ପାଇଁ ଘରୋଇ କ୍ରିକେଟକୁ ଯାଇଥିଲେ। ପ୍ରାୟ ୧୦ ବର୍ଷ ପରେ ଭାରତୀୟ ଦଳର ଅଧିନାୟକ ଗୁରୁବାର ୨୩ ଜାନୁଆରୀରେ ଜମ୍ମୁ-କଶ୍ମୀର ବିପକ୍ଷ ରଣଜୀ ଟ୍ରଫି ମ୍ୟାଚକୁ ଓହ୍ଲାଇଛନ୍ତି। କିନ୍ତୁ ଏଠାରେ ମଧ୍ୟ ତାଙ୍କର ପ୍ରଦର୍ଶନ ଦେଖାଇ ପାରି ନାହାନ୍ତି। ସେ ୧୯ ବଲ୍ ରେ ମାତ୍ର ୩ ରନ୍ କରି ଆଉଟ୍ ହୋଇଥିଲେ।  ସେହିପରି ଯଶସ୍ୱୀ ଜୟସ୍ୱାଲ ମଧ୍ୟ ଭଲ ପ୍ରଦର୍ଶନ କରି ପାରିନଥିଲେ।

ମୁମ୍ବାଇ ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଏହାପରେ ଭାରତର ଓପନିଂ ଯୋଡ଼ି ଯଶସ୍ୱୀ ଜୟସ୍ୱାଲ ଓ ରୋହିତ ଶର୍ମା ମୁମ୍ବାଇରୁ ଇନିଂସ ଆରମ୍ଭ କରିବାକୁ ଆସିଥିଲେ। କିନ୍ତୁ ଜମ୍ମୁ-କଶ୍ମୀର ବୋଲରଙ୍କୁ ସାମ୍ନା କରିପାରିନଥିଲେ। ବିଶେଷ କରି ୬ ଫୁଟ ୪ ଇଞ୍ଚ ଉମର ନାଜିରଙ୍କ ବଲରେ ସେ ସମ୍ପୂର୍ଣ୍ଣ ଅସହାୟ ଦେଖାଯାଉଥିଲେ। ରୋହିତ ତାଙ୍କ ବଲକୁ ପଢ଼ିପାରୁନଥିଲେ।

ରୋହିତ ଶର୍ମାଙ୍କ ସହ ଆସିଥିବା ଯଶସ୍ୱୀ ଜୟସ୍ୱାଲ କିନ୍ତୁ ଭଲ ଫର୍ମରେ ଚାଲିଛନ୍ତି। ସେ ଅଷ୍ଟ୍ରେଲିଆରେ ମଧ୍ୟ ନିଜର ଦକ୍ଷତା ଦେଖାଇଥିଲେ ଏବଂ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୪୩ ହାରାହାରିରେ ୩୯୧ ରନ୍ କରିଥିଲେ। ଏହି ସମୟରେ ସେ ୨ଟି ଅର୍ଦ୍ଧଶତକ ଓ ୧ଟି ଶତକ ମଧ୍ୟ ହାସଲ କରିଥିଲେ। କିନ୍ତୁ ଜମ୍ମୁ-କଶ୍ମୀର ବିପକ୍ଷରେ ମଧ୍ୟ ତାଙ୍କ ପ୍ରଦର୍ଶନ ଭଲ ନଥିଲା। ତେବେ ସେ ବହୁତ ଆତ୍ମବିଶ୍ୱାସୀ ଦେଖାଯାଉଥିଲେ ଏବଂ ଇନିଂସର ଦ୍ୱିତୀୟ ବଲରେ ସେ ଚୌକା ମାରିଥିଲେ । କିନ୍ତୁ ଏହି ମ୍ୟାଚରେ ସେ ୮ ବଲରେ ୫ ରନ୍ କରି ଆଉଟ୍ ହୋଇଥିଲେ।

ବ୍ୟାଟିଂରେ ଭଲ ପ୍ରଦର୍ଶନ କରୁନଥିବାରୁ ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିଅର ଶେଷ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ରୋହିତ ୫ ଟି ଇନିଂସରେ ୬.୨ ହାରାହାରିରେ ୩୧ ରନ୍ କରିଛନ୍ତି। ଏବେ ଭାରତକୁ ଚଳିତ ବର୍ଷ ଜୁନ୍ ମାସରେ ଇଂଲଣ୍ଡ ଗସ୍ତରେ ଯିବାକୁ ପଡ଼ିବ। ଏହି ସମୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। କିନ୍ତୁ ଏଥିରେ ସ୍ଥାନ ପାଇବାପାଇଁ ରୋହିତଙ୍କ ଆଶା କେବଳ ଘରୋଇ ପ୍ରଦର୍ଶନ ଉପରେ ନିର୍ଭର କରୁଛି। ଏଥିରେ ବିଫଳ ହେଲେ ବୋଧହୁଏ ତାଙ୍କ ଟେଷ୍ଟ କ୍ୟାରିୟର ଶେଷ ହୋଇଯିବ।

Leave a Reply

Your email address will not be published. Required fields are marked *