ରାଜଭବନରେ ଉଚ୍ଚସ୍ତରୀୟ ବୈଠକ: ଜନଜାତି ଯୋଜନାରେ ମାନବିକ ଆଭିମୁଖ୍ୟର ଉପଦେଶ

ଭୁବନେଶ୍ୱର: ରାଜ୍ୟର ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସମୟରେ ଅଧିକାରୀମାନେ ମାନବିକ ଓ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ସ୍ପଷ୍ଟ କରିଛନ୍ତି।

ରାଜଭବନର ନ୍ୟୁ ଅଭିଷେକ ହଲରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ତଥା ପଂଚାୟତିରାଜ ବିଭାଗର କାର୍ଯ୍ୟାବଳୀ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସହିତ ବରିଷ୍ଠ ଅଧିକାରୀ, ଡିଏଫଓ, ଜିଲ୍ଲା ପରିଷଦର ସିଇଓ, ପ୍ରକଳ୍ପ ପ୍ରଶାସକ ଓ ବିଭିନ୍ନ ଜିଲ୍ଲାର କଲ୍ୟାଣ ଅଧିକାରୀମାନେ ଯୋଗ ଦେଇଥିଲେ।

ରାଜ୍ୟପାଳ କହିଥିଲେ, “ଜନଜାତିଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନେକ ଯୋଜନା ଚାଲୁ ଅଛି। କିନ୍ତୁ ଲାଭାନ୍ବିତମାନେ ସଚେତନ ହେଲେ ମାତ୍ର ସେଥିରୁ ସତ୍ୟ ସୁଫଳ ମିଳିପାରିବ।” ଏହି ପାଇଁ ସମ୍ପୃକ୍ତ ବିଭାଗମାନଙ୍କୁ ଯୋଜନାସମୂହ ଉପରେ ପୁସ୍ତିକା ପ୍ରସ୍ତୁତ କରି ଜନସାଧାରଣଙ୍କୁ ବଣ୍ଟନ କରିବାକୁ ସୁପରିଶ କରିଥିଲେ।

ଫରେଷ୍ଟ ରାଇଟ୍ ଆକ୍ଟ-୨୦୦୬, ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷା, ଏକଲବ୍ୟ ବିଦ୍ୟାଳୟ, ଛାତ୍ରବୃତ୍ତି, ଜଙ୍ଗଲଜାତ ଦ୍ରବ୍ୟର ସର୍ବନିମ୍ନ ସହାୟତା ମୂଲ୍ୟ, ପ୍ରଧାନମନ୍ତ୍ରୀ ଜନମନ ଯୋଜନା, ଧରତୀ ଆବା ପ୍ରକଳ୍ପ ସହିତ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା ହୋଇଥିଲା।

ବିଚାରାଧୀନ ଫରେଷ୍ଟ ରାଇଟ ଆବେଦନଗୁଡିକୁ ୯୦ ଦିନରେ ସମାଧାନ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ଉତ୍ତମ ସମନ୍ୱୟର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଗଲା।

ସେହିପରି, ଲଘୁ ଜଙ୍ଗଲଜାତ ଦ୍ରବ୍ୟର କ୍ରୟ ଓ ବିପଣନରେ ମଧ୍ୟସ୍ଥିକୁ ବାହାର କରି, ଜନଜାତିଙ୍କୁ ଉଚିତ ମୂଲ୍ୟ ମିଳିବାକୁ ସୁନିଶ୍ଚିତ କରିବାର ଉପରେ ରାଜ୍ୟପାଳ ଜୋର ଦେଇଥିଲେ। ସେହି ସହିତ, ପ୍ରକ୍ରିୟାକରଣ ପାଇଁ ଏମଏସଏମଇ ସ୍ଥାପନ କରିବାକୁ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବାକୁ ସୁପରିଶ କରିଥିଲେ।

ଭିତ୍ତିଭୂମି, ଯୋଗାଯୋଗ, ପ୍ରତ୍ୟେକ ଗ୍ରାମରେ ମୋବାଇଲ ନେଟୱାର୍କ, ସୌର ଶକ୍ତି ବ୍ୟବହାର ଓ ସିଏସଆର ସହଯୋଗରେ ସ୍ମାର୍ଟ କ୍ଲାସରୁମ ବ୍ୟବସ୍ଥା କରିବାର ଉପରେ ମଧ୍ୟ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।

ଏହି ବୈଠକରେ ବରିଷ୍ଠ ଅଧିକାରୀ ସତ୍ୟବ୍ରତ ସାହୁ, ରୂପା ରୋଶନ ସାହୁ, ସୁରେଶ ପନ୍ତ, ଏସ ଏନ ଗିରିଶ, ବି. ପରମେଶ୍ୱରନ, ଉମା ନନ୍ଦୁରୀ, ପ୍ରେମ କୁମାର ଝା, କେ. ମୁରୁଗେସନ ପ୍ରମୁଖ ମଞ୍ଚାସୀନ ଥିଲେ।

Leave a Reply

Your email address will not be published. Required fields are marked *